ଭାରତରେ ପଶିଲା ବ୍ରିଟେନ ଭାଇରସ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ସୁପର ସ୍ପ୍ରେଡର ଭୁତାଣୁ, ୫୬ ପ୍ରତିଶତ ଅଧିକ ବେଗରେ କରିପାରେ ସଂକ୍ରମଣ ।

711

କନକ ବ୍ୟୁରୋ : ଭାରତ ପହଞ୍ଚିଲା ବ୍ରିଟେନର ନୂଆ ଷ୍ଟ୍ରେନ୍ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ‘ସୁପର ସ୍ପ୍ରେଡର’ ଭୂତାଣୁ । ଯେଉଁ କଥାକୁ ଡର ଥିଲା ସେୟା ହେଲା । ବ୍ରିଟେନରେ ନୂଆ ଭୂତାଣୁ ଚିହ୍ନଟ ହେବା ପରେ ଭାରତ ସରକାର ସତର୍କ ହୋଇଗଲେ । କିନ୍ତୁ ସେତେବେଳେକୁ ଦେଶ ଭିତରକୁ ପଶି ଆସିଛି ନୂଆ ଭୂତାଣୁ । ୮ ଜଣଙ୍କ ଠାରେ ଏହି ନୂଆ ଷ୍ଟ୍ରେନ୍ ବି-ୱାନୱାନ ସେଭେନ ଚିହ୍ନଟ ହୋଇଛି । ବାଙ୍ଗାଲୋର, ପୁଣେ ଓ ହାଇଦ୍ରାବାର ପରୀକ୍ଷାଗାରରେ ନମୂନାର ଜେନମ ସ୍ୱିକେନ୍ସ ଯାଂଚ ପରେ ଏହା ସ୍ପଷ୍ଟ ହୋଇଛି ।

ନୂଆ ଷ୍ଟ୍ରେନ ବି-ୱାନୱାନ ସେଭେନ କରୋନାର ପୁରୁଣା ଭୂତାଣୁ ଠାରୁ ୫୬ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରିପାରିବ । ଅର୍ଥାତ୍ ଜଣଙ୍କ ଠାରୁ ଏହି ଭୁତାଣୁ ତୁରନ୍ତ ବହୁ ଜଣଙ୍କୁ ବ୍ୟାପି ଯିବାର ଆଶଙ୍କା ରହିଛି ।

ଏହି ଘଟଣା ପରେ ଡିସେମ୍ବର ୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତ ଫେରିଥିବା ସବୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଜିନମ ସିକୁଏନସିଙ୍ଗ୍ ଅର୍ଥାତ ଭୂତାଣୁର ପରୀକ୍ଷା କରାଯିବ । ଏପଟେ ବ୍ରିଟେନର ଭୂତାଣୁ ମିଳିଥିବା ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ କଠୋରୀରେ ସଙ୍ଗରୋଧରେ ରଖାଯାଇଛି । ଏଥିସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏପଟେ ଓଡିଶାରୁ ମଧ୍ୟ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ଭୁତାଣୁର ପରୀକ୍ଷା ପାଇଁ ପୁଣେ ପଠାଯାଇଛି ।

ବ୍ରିଟେନରୁ ଆସିଥିବା କରୋନାର ଏହି ନୂଆ ଷ୍ଟ୍ରେନ୍ ଡେନମାର୍କ, ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ ଓ ସିଙ୍ଗାପୁରରେ ଦେଖିବାକୁ ମିଳିଛି ।

ଏହି ନୂଆ ଭୂତାଣୁର ମୁକାବିଲା ପାଇଁ ଏହାକୁ ଚିହ୍ନଟ କରିବା ହେଉଛି ପ୍ରଥମ ଆବଶ୍ୟକତା । ସେଇଥିପାଇଁ ଦେଶରେ ୧୦ଟି ପରୀକ୍ଷାଗାରରେ ଏହି ଜିନମ ସିକୁଏନସିଙ୍ଗ୍ ଅର୍ଥାତ ଭୁତାଣୁର ପ୍ରକାର ଜାଣିବା ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଉଛି ।

ନୂଆ ଭୂତାଣୁ ଚିହ୍ନଟ ପରେ କେମିତି ଅଛି ବ୍ରିଟେନ ? ସୋମବାର ରେକର୍ଡ ହେଲା ସର୍ବାଧିକ ସଂକ୍ରମଣ । ସୋମବାର ଗୋଟିଏ ଦିନରେ ବ୍ରିଟେନରେ ୪୧ ହଜାର ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ଏହା ସର୍ବାଧିକ ସଂକ୍ରମଣର ଦିନ । କ୍ରୋୟଡନ ହେଲଥ ସର୍ଭିସର ମୁଖ୍ୟ ବିବିସି ରେଡିଓକୁ କହିଛନ୍ତି, ହସ୍ପିଟାଲଗୁଡିକ ବହୁତ ଚାପରେ ଅଛନ୍ତି ଏବଂ ବହୁତ ବ୍ୟସ୍ତ ହୋଇଯାଇଛନ୍ତି । ସେଠାରେ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, ମହାମାରୀର ଏକ ବିପଦପୂର୍ଣ୍ଣ ପର୍ଯ୍ୟାୟ ଭିତରକୁ ସେମାନେ ପ୍ରବେଶ କରୁଛନ୍ତି ।