କନକ ବ୍ୟୁରୋ : ପୁଣି ଭାରତରେ ଦେଖିବାକୁ ମିିଳିବ ବିଲୁପ୍ତ ପ୍ରଜାତିର ଚିତାବାଘ । ଏହାର ବାଂଶ ଭାରତରେ ଲୁପ୍ତ ହୋଇଯାଉଥିବାରୁ କେନ୍ଦ୍ର ସରକାର ନାମିବ୍ୟାରୁ ୮ ଟି ଚିତାବାଘ ଆଣିବାର ବ୍ୟବସ୍ଥା କରିଛନ୍ତି । ଏହାକୁ ଏବେ ବିମାନ ଯୋଗେ ଭାରତ ଅଣାଯାଉଛି । ଆଉ ଏ ହେଉଛି ସେଇ ବିମାନ । ଚିତାକୁ ଆଣିବା ପାଇଁ ବିମାନର ରଙ୍ଗ ଚିତାବାଘର ମୁହଁ ଭଳି ଚିତ୍ରିତ କରାଯାଇଛି, ଯାହା ବିମାନକୁ ବାଘର ରୂପ ଦେଉଛି । ଏହି ବିମାନ ୮ଟି ଚିତାକୁ ଧରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ଭାରତକୁ ଆସୁଛି । ଦେଶରୁ ଲୁପ୍ତ ହୋଇସାରିଛି ଚିତାବାଘ । ଏବେ ପ୍ରୋଜେକ୍ଟ ଚିତା ଅଧିନରେ ଦେଶରେ ପୁନଃ ସ୍ଥାପିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଚଳାଇଛନ୍ତି । ଏଥିପାଇଁ ଭାରତ - ନାମିବ୍ୟା ସରକାରଙ୍କ ମଧ୍ୟରେ ରାଜିନାମା ହୋଇଛି ।

Advertisment

ନାମିବ୍ୟାରୁ ଚିତାକୁ ଆଣିବା ପାଇଁ ବିମାନ ଭିତରେ ଚିଡିଆଖାନାର ବ୍ୟବସ୍ଥା କରାଯାଇଛି । ବିମାନଟି ଏକ ଅଲଟ୍ରା ଲଙ୍ଗ ରେଞ୍ଜର ଜେଟ୍ ଯାହା ଅନବରତ ୧୬ ଘଂଟା ପର୍ଯ୍ୟନ୍ତ ଉଡାଣ ଭରିବାକୁ ସକ୍ଷମ । ତେଣୁ ବିନା ଇନ୍ଧନରେ ଚିତାକୁ ଧରି ଭାରତରେ ପହଂଚିବ ଏହି ବିମାନ । ତେବେ ଆସିବା ବାଟରେ ଚିତାକୁ କୌଣସି ଖାଦ୍ୟ ଦିଆଯିବ ନାହିଁ । ରାଜସ୍ଥାନରେ ପହଂଚିବା ପରେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ପାଲପୁର ଅଭୟାରଣ୍ୟକୁ ଅଣାଯିବ । ନାମିବ୍ୟାରୁ ଆସୁଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ରହିଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି ।

ଚିତା ଆସିବା ପରେ ପ୍ରଥମେ ଏକ ବାଡା ଭିତରେ ୩୦ ଦିନ ଯାଏଁ କ୍ୱାରେଂଟାଇନ୍ରେ ରଖାଯିବ । ଏହି ମାସକ କାଳ ସେମାନଙ୍କ ବ୍ୟବହାର, ଗତିବିଧୀ, ସ୍ୱାସ୍ଥ୍ୟ ଏପରିକି ଏଠାକାର ପରିବେଶ ସହ ଖାପ ଖୁଆଉଛି କି ନାହିଁ, ତାହା ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ ।