ଆଗାମୀ ଟି-୨୦ ବିଶ୍ୱକପ ପାଇଁ ସିଧାସଳଖ ୮ଟି ଟିମ କଲେ କ୍ୱାଲିଫାଏ । ବାଦ୍ ପଡିଲା ଚାମ୍ପିୟନ ଟିମ୍ ।

1,664

କନକ ବ୍ୟୁରୋ : ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୩ଟି ଟିମ୍ ସେମିଫାଇନାଲ ଟିକେଟ ହାତେଇଥିବା ବେଳେ ଆଉ ଗୋଟିଏ ସ୍ଥାନ ଖାଲି ରହିଛି । ୩ୟ ଟିମ୍ ଭାବେ ୱେଷ୍ଟଇଣ୍ଡିଜକୁ ହରାଇ ଅଷ୍ଟ୍ରେଲିଆ ସେମିଫାଇନାଲ ଟିକେଟ ହାତେଇଛି । ତେବେ ଏହି ପରାଜୟ ୱେଷ୍ଟଇଣ୍ଡିଜକୁ ବଡ ଝଟକା ଦେଇଛି । କାରଣ ଏହି ପରାଜୟ ପରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟକୁ ସିଧାସଳଖ କ୍ୱାଲିଫାଏ କରିପାରିନାହିଁ କାରବିଆନ ଟିମ୍ ।

ୱେଷ୍ଟଇଣ୍ଡିଜର ପରାଜୟ ସହ ଆଗାମୀ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚ୍ ପାଇଁ ୮ଟି ଟିମ୍ ସିଧାସଳଖ ଟିକେଟ ହାସଲ କରିଛନ୍ତି । ଏହି ୮ଟି ଟିମ୍ ମଧ୍ୟରେ ଆୟୋଜକ ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛି । ଆଇସିସି ନିୟମ ଅନୁଯାୟୀ, ଚଳିତ ବିଶ୍ୱକପରୁ ୮ଟି ଟିମ୍ ଆଗାମୀ ଟି-୨୦ ବିଶ୍ୱକପ ସଂସ୍କରଣ ପାଇଁ କ୍ୱାଲିଫାଏ କରିବେ । ଏହି ୮ଟି ଟିମ୍ ମଧ୍ୟରେ ଟି-୨୦ ବିଶ୍ୱକପର ଚାମ୍ପିୟନ ଓ ରନର୍ସ ଅପ ଟିମକୁ ଛାଡି ଅନ୍ୟ ୬ଟି ଦଳକୁ ଆଇସିସିର ରାଙ୍କି ଅନୁଯାୟୀ ସ୍ଥ୍ାନ ମିଳିଥାଏ । ୧୫ ନଭେମ୍ବର ସୁଦ୍ଧା ଆଇସିସି ଟି-୨୦ ମାନ୍ୟତାରେ ଯେଉଁ ୬ଟି ଦଳ ରହିବ ସେହି ତାଲିକାରୁ ୱେଷ୍ଟଇଣ୍ଡିଜ ବାଦ୍ ପଡିଛି । ନଭେମ୍ବର ୧୫ ସୁଦ୍ଧା କୌଣସି ଦଳର ରାକିଂରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହେବା ପରେ ଆଇସିସି ତାଲିକାର ୧୦ମ ସ୍ଥାନକୁ ଖସିଆସିଛି ୱେଷ୍ଟଇଣ୍ଡିଜ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ମାନ୍ୟତାରେ କୌଣସି ପରିବର୍ତ୍ତନର ସମ୍ଭାବନା ମଧ୍ୟ ନାହିଁ । ତେଣୁ ଆଇସିସି ରାକିଂରେ ୮ମ ସ୍ଥାନରେ ଥିବା ବାଂଲାଦେଶକୁ ସିଧାସଳଖ କ୍ୱାଲିଫାଏର ଟିକେଟ ମିଳିପାରେ । ଅନ୍ୟପଟେ ଆଫଗାନିସ୍ତାନ ମଧ୍ୟ ଟପ-୮ରେ ରହିଥିବାରୁ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି । ତେବେ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଏବେ ଆଇସିସି ରାକିଂରେ ନବମ ସ୍ଥାନରେ ଥିବାରୁ ଆଗାମୀ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ରାଉଣ୍ଡ ମୁକାବିଲା ଖେଳିବାକୁ ପଡିବ । ଯୋଗ୍ୟତା ପଯ୍ୟାୟ ମ୍ୟାଚରେ ଭଲ ପ୍ରଦର୍ଶନ କଲେ ଶ୍ରୀଲଙ୍କା ସୁପର-୧୨ରେ ଖେଳିବାକୁ ସୁଯୋଗ ପାଇବ ।