ଆମେରିକାରେ ‘ସ୍ପା’ରେ ଗୁଳିମାଡ, ୮ ମୃତ । ମୃତକଙ୍କ ମଧ୍ୟରେ ୬ ଜଣ ଏସୀୟ ମହିଳା ।

Advertisment
ଆମେରିକାରେ ‘ସ୍ପା’ରେ ଗୁଳିମାଡ, ୮ ମୃତ । ମୃତକଙ୍କ ମଧ୍ୟରେ ୬ ଜଣ ଏସୀୟ ମହିଳା ।

କନକ ବ୍ୟୁରୋ : ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ରାଜ୍ୟରେ ତିନୋଟି ପୃଥକ୍‌ ‘ସ୍ପା’ରେ ଗୁଳିକାଣ୍ଡ ଯୋଗୁଁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ୨୧ ବର୍ଷିୟ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଥିବା କଥା ପୁଲିସ ଏବଂ ସ୍ଥାନୀୟ ଗଣମାଧ୍ୟମ କହିଛନ୍ତି। କିନ୍ତୁ, ଆକ୍ରମଣର କାରଣ ସମ୍ବନ୍ଧରେ କିଛି ସୂଚନା ମିଳିନାହିଁ।

ଜର୍ଜିଆର ରାଜଧାନୀ ସହର ଆଟଲାଣ୍ଟାର ଉପନଗରୀ ଆକ୍‌ଓ୍ଵର୍ଥ ନିକଟରେ ଥିବା ‘ୟଙ୍ଗସ ଏସିଆନ୍‌ ମସେଜ୍‌’ରେ ଘଟିଥିବା ଗୁଳିକାଣ୍ଡରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ସେରୋକି କାଉଣ୍ଟି ସେରିଫ୍‌ଙ୍କ କାର୍ଯ୍ୟାଳୟରୁ ସୂଚନା ପାଇ ‘ଆଟ୍‌ଲାଣ୍ଟା ଜର୍ଣ୍ଣାଲ୍‌-କନ୍‌ଷ୍ଟିଚ୍ୟୁସନ୍‌’ ରିପୋର୍ଟ କରିଛି। ମୃତବ୍ୟକ୍ତିଙ୍କ ମଧ୍ୟରୁ ୨ଜଣ ଏସୀୟ ମହିଳା ବୋଲି କୁହାଯାଉଛି।

ମଙ୍ଗଳବାର ରାତିରେ ସନ୍ଦିଗ୍ଧ ଗୁଳି ଚାଳନାକାରୀଙ୍କୁ କାବୁ କରାଯାଇ ହାଜତକୁ ନିଆଯାଇଥିବା କଥା ‘କାଉଣ୍ଟି ସେରିଫ୍‌’ ଅଫିସ୍‌ ‘ଫେସବୁକରେ ପୋଷ୍ଟ୍‍ କରିଛି। ସେହିଭଳି ଆଉ ଏକ ପୃଥକ୍‌ ଘଟଣାରେ ଆଟଲାଣ୍ଟାରେ ଥିବା ଦୁଇଟି ବ୍ୟାବସାୟିକ ପ୍ରତିଷ୍ଠାନରେ ୪ଜଣ ମହିଳା ମଧ୍ୟ ଗୁଳିଚୋଟରେ ମରିଥିବା କଥା ଆଟଲାଣ୍ଟା ପୁଲିସ ବିଭାଗ କହିଛି। ଏ ଦୁଇଟି ପ୍ରତିଷ୍ଠାନ ହେଉଛି ‘ଗୋଲ୍‌ଡ୍‌ ସ୍ପା’ ଏବଂ ‘ଆରୋମା ଥେରାପି’ ବୋଲି ସ୍ଥାନୀୟ ଗଣମାଧ୍ୟମ ଚିହ୍ନଟ କରିଛି।

ଗୁଳି ମାଡରେ କ୍ଷତାକ୍ତ ହୋଇ ତିନିଜଣ ମହିଳା ମରିଥିବା କଥା ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଜାଣିବାକୁ ପାଇଲା। ସେଠାରେ ପହଞ୍ଚିବା ପରେ ରାସ୍ତା ଆରପାରିରେ ପୁଣି ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ସେଠାକୁ ଯିବାରୁ ସେଠାରେ ଥିବା ଏକ ବ୍ୟାବସାୟିକ ପ୍ରତିଷ୍ଠାନରେ ଆଉ ଜଣେ ମହିଳାଙ୍କର ଗୁଳି ମାଡରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ବୋଲି ଏକ ବିବୃତିରେ ପୁଲିସ ବିଭାଗ କହିଛି। ଗୁଳିକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ୨୧ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe