ଜଣେ ଗ୍ରାହକ ସମେତ ୮ ଲୁଟେରା ଗିରଫ, ରାଜଧାନୀରୁ ଲୁଟ କରୁଥିଲେ ବାଇକ ଓ ସୁନାଚେନ
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରସ୍ଥିତ ବିଭିନ୍ନ ଅଂଚଳରୁ ବାଇକ ଓ ସୁନାଚେନ ଲୁଟ କରୁଥିବା ଏକ ବଡ଼ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ କମିସନରେଟ ପୁଲିସ ସଫଳ ହୋଇଛି । ଲୁଟ ଘଟଣାରେ ପୁଲିସ ଜଣେ ଗ୍ରାହକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଯଦୁପୁର ଗାଁର ଗୋଲଡେନ ଅବିଦ (୨୩), ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହିରରେ ରହୁଥିବା ଗଂଜାମ ଜିଲ୍ଲାର ଧଳପୁର ଗାଁର ରାଜା ଜିତେନ୍ଦ୍ର ପ୍ରଧାନ (୧୯), ଗଂଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରୁଆ ଗାଁର ରାବଣ ବିଶ୍ୱଜିତ ଦାସ (୨୦), ମୟୂରଭଂଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସିରୋକୋଲି ଗାଁର କାଶୀନାଥ ପାତ୍ର ଓରଫ କାଶୀଆ (୨୦), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁର ଗାଁର ଅଜୟ କୁମାର ମଣ୍ଡଳ (୨୨), ଭୁଷଣ୍ଡପୁର ଗାଁର ଅନ୍ୟ ଏକ ଯୁବକ ସଂଜୟ ଦାସ (୨୨), ବିହାର ରାଜ୍ୟର ମୁଙ୍ଗେର ଥାନା ଅଧିନ ସୁରଜଗଢ଼ା ଗାଁର ଚିଣ୍ଟୁ ଧର୍ମେନ୍ଦ୍ର କୁମାର (୧୮) ଓ ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପଙ୍କଲବାଡି ଗାଁର ମିଥୁନ ସମୁଦ୍ର (୨୪) । ମିଥୁନ ସାଲିଆ ସାହିରେ ରହୁଥିଲେ ଏବଂ ଲୁଟେରାଙ୍କ ଠାରୁ ଜିନିଷ କିଣିଥଲେ । ଅନ୍ୟ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରୁ ଆସି, ଭୁବନେଶ୍ୱରର ନୟାପଲ୍ଲୀ ଓ ଲକ୍ଷ୍ମୀସାଗରରେ ରହୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିଛି, ଲୁଟେରାମାନଙ୍କର ଠାରୁ ୫ଟି ବାଇକ, ୮ଟି ସୁନାଚେନ ଯାହାର ଓଜନ ୪୫ ଗ୍ରାମ (୩ ଲକ୍ଷ ଟଙ୍କା) ଓ ୨୬ଟି ମୋବାଇଲ ଜବତ ହୋଇଛି । ଲୁଟେରାମାନେ ଖଣ୍ଡଗିରି, ନୂଆପଲ୍ଲୀ ଓ ସହିଦନଗର ଅଂଚଳରେ ସୁଯୋଗ ଦେଖି ଲୁଟ କରୁଥିଲେ । ଲୁଟ ଓ ଛିନତାଇ ସମୟରେ ବିଭିନ୍ନ ବାଇକ ବ୍ୟବହାର କରୁଥିଲେ । ଅଭିଯୁକ୍ତଙ୍କ ନାଁରେ ନୟାପଲ୍ଲୀ, ଖଣ୍ଡଗିରି ଓ କ୍ୟାପିଟାଲ ଥାନରେ ମାମଲା ରୁଜୁ ହୋଇଥିଲା । ଲୁଟେରାମାନଙ୍କୁ ଧରିବା ପାଇଁ ନୟାପଲ୍ଲୀ ଥାନା ପୁଲିସ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।