ବିଶ୍ୱକପ ଲଢେଇ ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା । ଏହି ୮ ଜଣ ଖେଳାଳୀ ପ୍ରଥମ ଥର ପାଇଁ ଖେଳିବେ ବିଶ୍ୱକପ ।

294

କନକ ବ୍ୟୁରୋ : ମହାସମର ପାଇଁ ସମରସଜ୍ଜା । ବିଶ୍ୱକପ୍ ପାଇଁ ବିରାଟ ବାହିନୀ । ଆସନ୍ତା ୨୦୧୯ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । ବିଶ୍ୱ କପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ବିରାଟ କୋହଲି । ରୋହିତ ଶର୍ମାଙ୍କ ହାତରେ ଉପ-ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ଏହା ସହ ଟିମରେ ଅଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ୩ ଜଣ ଫାଷ୍ଟ ବୋଲର, ୩ ଜଣ ସ୍ପିନର ବୋଲର । ଅଲରାଉଣ୍ଡର ବିଜୟ ଶଙ୍କର ଓ ହାର୍ଦ୍ଦିକ ପାଣ୍ଡ୍ୟା ସହ  ଶିଖର ଧୱନ, କେଏଲ ରାହୁଲ, ଦିନେଶ କାର୍ତିକ, କେଦାର ଯାଦବ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚତୁର୍ଥ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ, ୧୫ ଖେଳାଳୀଙ୍କ ମଧ୍ୟରୁ ଏମିତି ୮ ଜଣ ଖେଳାଳୀ ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି ।

୧. କେ.ଏଲ୍. ରାହୁଲ

୨. ଦିନେଶ କାର୍ତ୍ତିକ ( ୨୦୦୭ରେ ଦଳରେ ଥିଲେ, କିନ୍ତୁ ଖେଳିବାର ସୁଯୋଗ ପାଇନଥିଲେ ) ।

୩. କେଦାର ଯାଦବ

୪. ବିଜୟ ଶଙ୍କର

୫. କୁଲଦୀପ ଯାଦବ

୬. ୟୁଜବେନ୍ଦ୍ର ଚହଲ

୭. ହାର୍ଦ୍ଦିକ ପାଣ୍ଡ୍ୟା

୮. ଜସପ୍ରିତ ବୁମରା

ଏହି ୮ ଜଣ ଖେଳାଳୀ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି, ବିଗତ କିଛି ବର୍ଷ ଧରି ଏହି ଖେଳାଳୀମାନେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଅଂଶ ହୋଇ ରହିଆସିଛନ୍ତି । ତେବେ ୧୯୮୩ ଓ ୨୦୧୧ ଦୁଇ ଥର କ୍ରିକେଟ ବିଶ୍ୱକପ୍ ଜିତିଥିବା ଭାରତ, ଆସନ୍ତା ଜୁନ୍ ୬ରେ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମ୍ୟାଚ ଖେଳିବ । ଆଉ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଜୁନ ମାସ ୧୬ ତାରିଖକୁ । ଯେତେବେଳେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।