କନକ ବ୍ୟୁରୋ : ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା । ତେବେ ୯ ଲୋକସଭା ମଧ୍ୟରୁ ୮ ଆସନରେ ନୂଆ ପ୍ରାର୍ଥୀକୁ ସାମ୍ନାକୁ ଆଣିଛି ବିଜେଡି । ଅଥାର୍ତ ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି ନବୀନ । କେବଳ ବଲାଙ୍ଗୀର ସଂସଦୀୟ କ୍ଷେତ୍ରକୁ ଛାଡିଦେଲେ ଅନ୍ୟ ୮ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ବଲାଙ୍ଗୀରରେ କଳିକେଶ ନାରାୟଣ ସିଂହଦେଓ ନବୀନଙ୍କ ଭରସା ଜିତିବା ସହ ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବାକି ୮ଟି ଆସନରୁ ଯେଉଁ ପ୍ରାର୍ଥୀଙ୍କ ଟିକେଟ କଟାଯାଇଛି ସେଥିରେ ଅନେକ ହେଭିୱେଟ ନେତା ସାମିଲ ହୋଇଛନ୍ତି । ବ୍ରହ୍ମପୁରରେ ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କ ଉପରେ ଭରସା କରିଛି ଦଳ । କଂଗ୍ରେସ ଛାଡି ବିଜେଡି କ୍ୟାମ୍ପରେ ଯୋଗ ଦେଇଥିବା ଚନ୍ଦ୍ରଶେଖରଙ୍କୁ ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ । ସେହିଭଳି ଅନ୍ୟ ଏକ ଚର୍ଚ୍ଚିତ ଆସନ ନବରଙ୍ଗପୁରରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ଦଳ ରମେଶ ମାଝୀଙ୍କୁ ମୈଦାନକୁ ଓହ୍ଲାଇଛି ।
ସେହିଭଳି କୋରାପୁଟ ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ । କୋରାପୁଟ ସାଂସଦ ଥିବା ଝିନ୍ନ ହିକକାଙ୍କ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ଟିକେଟ ଦେଇ ଦଳ ଖେଳିଛି ମହିଳା କାର୍ଡ । ହାଇପ୍ରୋଫାଇଲ ଆସନ କୁହାଯାଉଥିବା ସୁନ୍ଦରଗଡରେ ବିଜେପିକୁ ଟକ୍କର ଦେବାକୁ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଗତଥର ଏଠାରୁ ଦିଲ୍ଲୀପ ତୀର୍କି ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପିର ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । ରାଜ୍ୟର ବିଜେପି ଏହି ଆସନରେ ବିଜୟୀ ହେବା ସହ ଖାତା ଖୋଲିଥିଲା । ତେବେ ଚଳିତ ଥର ବିଜେପିକୁ ମାତ ଦେବାକୁ ଦଳ ଏଠାରେ ସଜ ସଜ କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ଦଳ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ଦୁଇଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ବ୍ରହ୍ମପୁର ବ୍ୟତୀତ ଆସ୍କାରେ ମଧ୍ୟ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ବିଜେଡି । ଆସ୍କାର ସାଂସଦଙ୍କ ବିୟୋଗ ପରେ ତାଙ୍କ ସ୍ଥାନରେ ଏସଏଚଜି ଗ୍ରୁପର ସଦସ୍ୟ ପ୍ରମିଳା ବିଶୋୟୀଙ୍କୁ ଦଳ ଦେଇଛି ଟିକେଟ । ସେହିଭଳି କଳାହାଣ୍ଡି ଆସନ ପାଇଁ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୈଦାନକୁ ଓହ୍ଳାଇଛି ଦଳ । ଅର୍କକେଶରୀଙ୍କ ବଦଳରେ ପୁଷ୍ପେନ୍ଦ୍ରଙ୍କୁ ଦଳ ଦିଲ୍ଲୀ ପଠାଇବାକୁ ସ୍ଥିର କରିଛି । ତେବେ ସବୁଠୁ ବଡ କଥା ହେଲା ଉଭୟ କନ୍ଧମାଳ ଓ ବରଗଡ ପାଇଁ ଦୁଇ ରାଜ୍ୟସଭା ସାଂସଦଙ୍କୁ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । କନ୍ଧମାଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କନ୍ଧମାଳ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ବଦଳରେ ଦଳ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ବରଗଡରୁ ସାଂସଦ ଥିବା ପ୍ରଭାସ ସିଂଙ୍କ ବଦଳରେ ଦଳ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି । ନୂଆ ପ୍ରାର୍ଥୀଙ୍କୁ ନେଇ ଦଳ ମୈଦାନକୁ ଓହ୍ଲାଇଥିବା ବେଳେ ଏଥିରେ ୩ ଜଣ ମହିଳା ମଧ୍ୟ ରହିଛନ୍ତି । ଏହାସହ ର୍ପୂବରୁ ମହିଳାଙ୍କୁ ୩୩% ଟିକେଟ ଦେବାକୁ ନବୀନ ଯେଉଁ କଥା ଦେଇଥିଲେ ତାହାକୁ ମଧ୍ୟ ରକ୍ଷା କରିଛନ୍ତି । କିନ୍ତୁ ନବୀନଙ୍କ ଏହି ନୂଆ ସିପାହୀ ନିର୍ବାଚନ ମୈଦାନରେ କିଭଳି ଫାଇଟ କରୁଛନ୍ତି ଓ ଏହାର ଫଳାଫଳ କଣ ହେବ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିବ ।