କନକ ବ୍ୟୁରୋ : ଆଫଗାନିସ୍ତାନ ମାଟି ଆତଙ୍କବାଦ ପାଇଁ ବ୍ୟବହୃତ ହେଉ ତାହା ସହ୍ୟ କରାଯିବନାହିଁ । ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ୮ ରାଷ୍ଟ୍ରୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରେ କିଛି ଏହିପରି ଘୋଷଣା କରାଯାଇଛି । ଏନ୍ଏସଏ ଅଜିତ ଡୋଭାଲ୍ ଆଜି ତାଙ୍କ ଇରାନ, କଜାକସ୍ତାନ, କିରଗିଜସ୍ତାନ, ରୁଷ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ପ୍ରତିପକ୍ଷମାନଙ୍କ ସହ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
ଭାରତ ମଧ୍ୟ ବୈଠକ ପାଇଁ ଚୀନ୍ ଏବଂ ପାକିସ୍ତାନକୁ ନିମନ୍ତ୍ରଣ କରିଥିଲା । କିନ୍ତୁ ସେମାନେ ଭାରତର ନିମନ୍ତ୍ରଣକୁ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷେ ଆଫଗାନ ପ୍ରତିନିଧିମାନଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇନଥିଲା । ବୈଠକରେ ଆଜି ଆଫଗାନିସ୍ତାନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି । ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା, ତାଲିମ ଦେବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୋଜନା କରିବା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଦେବା ନେଇ ଆଫଗାନିସ୍ତାନ ମାଟିକୁ ବ୍ୟବହାର କରାଯିବା କଦାପି ଗ୍ରହଣୀୟ ନୁହେଁ ବୋଲି ଉକ୍ତ ବୈଠକରେ ଗୁରୁତ୍ବ ଦିଆଯାଇଛି ।
୮ ରାଷ୍ଟ୍ରର ଶୀର୍ଷ ସୁରକ୍ଷା ଅଧିକାରୀମାନେ ଆଫଗାନ ସ୍ଥିତି ନେଇ ଏକ ମିଳିତ ଘୋଷଣାନାମା ଜାରି କରିଛନ୍ତି । ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ଏକ ସ୍ଥିର ଆଫଗାନିସ୍ତାନ ପାଇଁ ସହଯୋଗ କରିବାକୁ ମିଳିତ ଘୋଷଣାନାମାରେ କୁହାଯାଇଛି । ଉଗ୍ରବାଦ, ଆତଙ୍କବାଦ, ବିଚ୍ଛିନତାବାଦ ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ବିରୋଧରେ ମିଳିତ ସହଯୋଗ ପାଇଁ ଏହି ଘୋଷଣାନାମାରେ କୁହାଯାଇଛି । ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିନେବାପରେ ନାଗରିକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେନେଇ ୮ ରାଷ୍ଟ୍ରର ଏନ୍ଏସ୍ଏ ଚିନ୍ତା ପ୍ରକଟ କରିଛନ୍ତି । ଆଫଗାନିସ୍ତାନକୁ ମାନବୀୟ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଆଫଗାନିସ୍ତାରେ ଶିଶୁ, ମହିଳା ଏବଂ ସଂଖ୍ୟାଲଘୁଙ୍କ ମୌଳିକ ଅଧିକାର ଉଲ୍ଲଂଘନ ବନ୍ଦ ହେବା ଜରୁରୀ ବୋଲି ଘୋଷଣାନାମାରେ କୁହାଯାଇଛି। ଆଫଗାନ ସରକାରରେ ସବୁ ବର୍ଗକୁ ସାମିଲ କରିବା ଦିଗରେ ଆଜିର ବୈଠକରେ ଆଲୋଚନା ହୋଇଛି । ବୈଠକରେ ଡୋଭାଲ କହିଛନ୍ତି, ଆଫଗାନ ସ୍ଥିତି ସଂକ୍ରାନ୍ତରେ ଏବେ ରାଷ୍ଟ୍ରମାନଙ୍କ ମଧ୍ୟରେ ଉତ୍ତମ ସହଯୋଗ ଏବଂ ସମନ୍ବୟ ରହିବା ଆବଶ୍ୟକ । ମିଳିତ ଘୋଷଣା ନାମାରେ ଆଫଗାନିସ୍ତାନରେ ତାଲିବାନ ସରକାରର କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ବୈଠକ ପରେ ସମସ୍ତ ୮ ଏନ୍ଏସ୍ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ତେବେ ନିମନ୍ତ୍ରଣ ସତ୍ୱେ ବୈଠକରେ ଚୀନ ଓ ପାକିସ୍ତାନ ସାମିଲ ହୋଇ ନାହାନ୍ତି ।