ଭାରତରେ ପ୍ରଥମଥର ପଶୁଙ୍କ ଦେହରେ ଚିହ୍ନଟ ହେଲା କରୋନା ଭୂତାଣୁ । ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହ କରୋନା ସଂକ୍ରମିତ

702

କନକ ବ୍ୟୁରୋ : ସମ୍ଭବତଃ ଏହା ଭାରତର ପ୍ରଥମ ଘଟଣା । ମଣିଷ ପରେ ଭାରତରେ କରୋନାରେ ସଂକ୍ରମିତ ହେଉଛନ୍ତି ପଶୁ । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ ଟି ସିଂହ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେଣ୍ଟର ଫର ସେଲୁଲାର ମୋଲିକୋଲାର ବାୟୋଲୋଜି ର ସୂଚନା ମୁତାବକ ଏହି ୮ ଟି ସିଂହଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ପରୀକ୍ଷା ପରେ ସେମାନେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେପଟେ ନେହେରୁ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ସିଦ୍ଧାନନ୍ଦ କୁକର୍ତ୍ତେ ଏହି ଖବରକୁ ନା ଅଗ୍ରାହ୍ୟ କରିଛନ୍ତି ନା ସଠିକ୍ ବୋଲି କହିଛନ୍ତି । ସେ କହିଛନ୍ତି କି ମୋ ପାଖରେ ଏପର୍ଯ୍ୟନ୍ତ ଆରଟି-ପିସିଆର ରିପୋର୍ଟ ପହଂଚି ନାହିଁ । ଏହାସହ ପରୀକ୍ଷା କରାଯାଇଥିବା ସିଂହମାନେ ଏବେ ସୁସ୍ଥ ଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ସିସିଏମବିର ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଛନ୍ତି କି ଏହି ସିଂହ ମାନଙ୍କ ମଣିଷ ଦ୍ୱାରା ଯୋଗାଇ ଦିଆଯାଉଥିବା ମାଂସରୁ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ନେହେରୁ ପ୍ରାଣୀଉଦ୍ୟାନକୁ ୨ ଦିନ ପାଇଁ ବନ୍ଦ ରଖାଯାଇଛି । ସିଂହ ମାନଙ୍କର ଦେଖାରଖା କରୁଥିବା କର୍ମଚାରୀଙ୍କ ସମେତ ପ୍ରାଣୀଉଦ୍ୟାନ ଭିତରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।