ଫୋନି ମୁକାବିଲା ପାଇଁ ସମୀକ୍ଷା ବୈଠକ ଶେଷ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର, ଆଶ୍ରୟସ୍ଥଳରେ ମିଳିବ ରନ୍ଧାଖାଦ୍ୟ । 

1,127

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତିି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫୋନି । ବାତ୍ୟା ଫୋନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଛନକା ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଫୋନିର ମୁକାବିଲା କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ନବୀନ ଫୋନି ମୁକାବିଲା ନେଇ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ।

ଫୋନିର ମୁକାବିଲା ପାଇଁ ପ୍ରଭାବିତ ଅଞ୍ଚଳ ଗୁଡିକରେ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦିଆଯିବ । ଫୋନି ଉପକୂଳରେ ପହଞ୍ଚିବା ପୂର୍ବରୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହା ଓଡିଶାର ସବୁଠୁ ବଡ ସ୍ଥାନାନ୍ତରଣ ଭାବେ ଇତିହାସ ରଚିବାକୁ ଯାଉଛି । ମହିଳା ,ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ । ଏହାଛଡା ଆସନ୍ତାକାଲି ଠାରୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫୋନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କ ଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଫୋନି ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ କ୍ଷୟକ୍ଷତିକୁ କମାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ନବୀନ ।