ଅଧରାତିରେ ଅପେକ୍ଷା କରିଥିଲା ମୃତ୍ୟୁ ! ତପ୍ତପାଣି ଘାଟିରୁ ଖସିଲା ବସ୍, ବିପଦ ଡାକି ଆଣିଲା ଘନ କୁହୁଡି । ଜାଣନ୍ତୁ କାଳ ରାତିରେ କେମିତି ଘଟିଥିଲା ସେହି ଛାତିଥରା ଦୁର୍ଘଟଣା ।

839

କନକ ବ୍ୟୁରୋ : ତପ୍ତପାଣି ଘାଟିରୁ ଖସିଲା ବସ୍ । ବିପଦ ଡାକି ଆଣିଲା ଘନ କୁହୁଡି । ତପ୍ତପାଣି ଘାଟିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଚାଲି ଯାଇଛି ୮ ଜୀବନ । ଆହତ ହୋଇଛନ୍ତି ୪୦ ଯାତ୍ରୀ । ଟିକିରୀରୁ ବ୍ରହ୍ମପୁର ଆସୁଥିବା ମାରୁତୀ ବସର ଏ ଦୁର୍ଘଟଣା ପରର ଚିତ୍ର ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ ।

ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ । ଏ ଦୃଶ୍ୟ ହେଉଛି ତପ୍ତପାଣି ଘାଟିର ଲୋମଟାଙ୍କୁରା ବସ୍ ଦୁର୍ଘଟଣାର ଚିତ୍ର । ଏହା ହିଁ ବୟାନ କରୁଛି ଘାଟିରେ ଅଧରାତିରେ କେତେ ହୃଦୟ ବିଦାରକ ରହିଥିବ ଦୁର୍ଘଟଣା ସମୟର ଚିତ୍ର । ଯେଉଁଠି ଚାଲି ଯାଇଛି ୮ ଜୀବନ । ଘାଟିରୁ ଖସିବା ପରେ ମାରୁତୀ ନାମକ ବସଟି ପୁରା ଓଲଟି ପଡିଛି । ବସର ଉପରି ଭାଗ ରହିଛି ତଳକୁ, ଆଉ ତଳ ରହିଛି ଉପରକୁ । ଘାଟିରୁ ଖସିବା ପରେ ପରେ ବେଶ୍ କିଛି ବାଟ୍ ଘୋଷାଡି ହୋଇଯାଇଛି ବସଟି । ଛାତ ଉପରେ ଥିବା ଜାଲି ବି ଅଲଗା ହୋଇଯାଇଛି । ରାତି ଅଧରେ ତପ୍ତପାଣି ଘାଟିର ଏପରି ଦୁର୍ଘଟଣା ସାରା ଦକ୍ଷିଣ ଓଡିଶାରେ ଖେଳାଇ ଦେଇଛି ଚାଂଚଲ୍ୟ । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ତପ୍ତପାଣି ଘାଟିରେ କେମିତି ଖସିଲା ଯାତ୍ରୀବାହୀ ବସ୍ ।

ଅଧରାତିରେ ଅପେକ୍ଷା କରିଥିଲା ମୃତ୍ୟୁ । ତପ୍ତପାଣି ଘାଟିରେ ଯାତ୍ରୀ ହେଲେ ଶିକାର । ତପ୍ତପାଣି ଘାଟିରେ ଏହି ଦୁର୍ଘଟଣା ଘଟିଥିଲା ଠିକ୍ ମଝି ରାତିରେ । ସମୟ ହେବ ରାତି ପ୍ରାୟ ୩ଟା । ଟିକିରୀରୁ ବ୍ରହ୍ମପୁର ଆସୁଥିଲା ବସ୍ ।

ମଧ୍ୟ ରାତିରେ ତପ୍ତାପାଣିର ଘାଟିର ରାସ୍ତା । ସବୁ ଦିନ ପରି ଘାଟି ରାସ୍ତାରେ ଆଗକୁ ମାଡି ଚାଲୁଥିଲା ବସ୍ । ଗାଡିର ବେଗ ଥିଲା ୫୦ ଉପରେ । ଘାଟି ଚଢୁଥାଏ ବସ୍, ଏହି ହିସାବରେ ଗାଡିର ବେଗ ବି ବଢୁଥାଏ । ହେଲେ ଗାଡିରେ ନଥିଲା ବ୍ରେକ୍ । ଏକଥା ଡ୍ରାଇଭରକୁ ଜଣାଥିଲା । ବସରେ ଥିବା ଯାତ୍ରୀ ବି ଜାଣିଥିଲେ । ମଝି ରାତିରେ ଘାଟି ଉପରେ ବିନା ବ୍ରେକରେ ଏତେ ଜୋରରେ ମାଡି ଚାଲିଥିଲା ବସ୍ । ବସ୍ ଭିତରେ ଥିବା ଯାତ୍ରୀ ଆଗୁଆ ଆଶଙ୍କା କରିସାରିଥିଲେ ଆଗକୁ ଆସୁଛି ବିପଦ । ଟିକେ ଏପଟ ସେପଟ ହେବ ତ ଘଟିଯିବ ଦୁର୍ଘଟଣା । ବାସ୍ ଏହାରି ଭିତରେ ବସର ତୀବ୍ର ବେଗକୁ କାଳ ହୋଇଗଲା ଘନ କୁହୁଡି । ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍ । ଜୋରଦାର ଶବ୍ଦ କରି ଖସିଲା ଘାଟି ତଳକୁ । ସିଧା ପୋଲ ତଳେ ପଡିଥିଲା ବସ୍ । ଆଉ ବସ୍ ଭିତରୁ ଶୁଭୁଥିଲା ଆର୍ତ ଚିତ୍କାର ।

ଅଧରାତିରେ ଘାଟିରୁ ଖସିଲା ବସ୍ । ଘଟିଲା ଲୋମଟାଙ୍କୁରା ଦୁର୍ଘଟଣା । ସତେ ଯେମିତି ମୃତ୍ୟୁ ଜଗିଥିଲା ବାଟ । ବସ୍ ଘାଟି ଉପରକୁ ଆସିଲା, ତ ମୃତ୍ୟୁ ଡାକିନେଇଥିଲା ତା କୋଳକୁ । ଏପଟେ ଘଂଚ ଜଙ୍ଗଲ ତ ସେପଟେ ପାଣି । ଆଉ ଏହାରି ଭିତରେ ରାତି ଅଧରେ ହଠାତ୍ ଦୁର୍ଘଟଣାର ଖବର ବି ସଙ୍ଗେ ସଙ୍ଗେ କାହା ପାଖରେ ପହଁଚି ପାରିନଥିଲା । କାରଣ ରାତିର ଅନ୍ଧାରକୁ ଅସ୍ତବ୍ୟସ୍ତ କରିଦେଇଥିଲା ଆହତଙ୍କ ଆର୍ତ ଚିତ୍କାର । ହେଲେ ଶୁଣିବାକୁ କିନ୍ତୁ କେହି ନଥିଲେ ଆଖପାଖରେ ।

ଏହାରି ଭିତରେ ପ୍ରଶାସନ ନିକଟରେ ଖବର ପହଞ୍ଚିବା ବେଳକୁ ସକାଳ ହୋଇଯାଇଥିଲା । ଖବର ପାଇବା ମାତ୍ରେ ପହଁଚି ଥିଲା ଦମକଳ ବାହିନୀ । ଆରମ୍ଭ ହୋଇଥିଲା ଉଦ୍ଧାର କାମ । ଜଣକ ପରେ ଜଣେ କରି ବସରୁ ଆହତ ଓ ମୃତକଙ୍କୁ ବାହାର କରୁଥିଲେ ଉଦ୍ଧାରକାରୀ ଟିମ୍ । ହେଲେ ଏହା ବି ଏତେ ସହଜ ନଥିଲା । କାରଣ ବସ୍ ଏତେ ଜୋରରେ ମାଟିରେ ଚାପି ହୋଇ ପଡିଥିଲା, ଯେ ବସ୍ ଭିତରେ ଲୋକ ପୁରା ଫସି ହୋଇ ରହିଥିଲେ । ଏମାନଙ୍କୁ କେମିତି ଉଦ୍ଧାର କରିବେ ଚିନ୍ତାରେ ପଡି ଯାଇଥିଲେ ଉଦ୍ଧାରକାରୀ ଟିମ୍ । ତଥାପି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଲାଗି ପଡିଥିଲେ ଦମକଳ ବାହିନୀର ୫ ଟି ଟିମ୍ । ଘଂଚ ଜଙ୍ଗଲ ଓ ପାଣି ବାଧକ ସାଜିଥଲେ ବି ଏହାକୁ ଖାତିର ନକରି ଉଦ୍ଧାର କାମକୁ ଆଗକୁ ବଢାଇଥିଲେ ଅଗ୍ନିଶମ ବାହିନୀ ।

ବସ ଦୁର୍ଘଟଣାରେ ଚାଲି ଯାଇଛି ୮ ଜୀବନ । ୪୦ ରୁ ଅଧିକ ଆହତ ହୋଇଛନ୍ତି । ୨୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଦ୍ଧାର ପରେ ସମସ୍ତଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅତି ଗୁରୁତର ୨୮ ଜଣଙ୍କୁ ସେଠାରୁ ପଠାଇ ଦିଆଯାଇଛି ବ୍ରହ୍ମପୁର ଏମକେସିଜିକୁ । ସେଠାରେ ୨୮ ଜଣଙ୍କ ଚିକିତ୍ସା ଚାଲିଛି । ଅତି ଗୁରୁତର ଥିବା ୨ ଜଣଙ୍କୁ ଏମକେସିଜିରୁ ଏସସିବି ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ମୂଳକ ରାଶି ଘୋଷଣା କରିବା ସହ ଆହତଙ୍କ ମାଗଣା ଚିକିତ୍ସା ନେଇ ବ୍ୟବସ୍ଥା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।