କନକ ବ୍ୟୁରୋ: ବୁଧବାର ଦିନ ସିବିଆଇ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମଙ୍କୁ ଦିଲ୍ଲୀଠାରେ ଦୀର୍ଘ ଆଠ ଘଣ୍ଟା କାଳ ପଚରା ଉଚୁରା କରିଛି । ବାପା କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ପିଟର୍ ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ପରିଚାଳିତ ଆଇଏନଏକ୍ସ୍ ମିଡିଆ ହାଉସକୁ ମିଳିଥିବା ଏଫଆଇପିବି ଅନୁମୋଦନକୁ ସୁଗମ କରାଇବାରେ ତାଙ୍କର ଭୂମିକା ସଂକ୍ରାନ୍ତରେ ଗୁଇନ୍ଦାମାନେ କାର୍ତ୍ତିଙ୍କୁ ପଚାରି ଥିଲେ ।
ବିଶେଷ ସୂତ୍ରରୁ ପ୍ରକାଶ କାର୍ତ୍ତି ଚିଦାମ୍ବରମଙ୍କୁ ଶତାଧିକ ପ୍ରଶ୍ନ ପଚରା ଯାଇଥିଲା । ସେଥିରୁ ଅଧିକାଂଶ ପ୍ରଶ୍ନ ଥିଲା ସେ ଯୋଗାଇଥିବା ସେବା ପାଇଁ ଗ୍ରହଣ କରିଥିବା କୋଟି କୋଟି ଟଙ୍କା ସଂକ୍ରାନ୍ତରେ । ସିବିଆଇ ଅଭିଯୋଗ କରିଥିଲା ଯେ ଆଇଏନଏକ୍ସ ମିଡିଆକୁ ସହାୟତା କରିବାକୁ କାର୍ତ୍ତି ଚିଦାମ୍ବରମଙ୍କ ଦ୍ୱାରା ନିୟନ୍ତ୍ରିତ ଫାର୍ମଗୁଡ଼ିକ ପ୍ରାୟ ୩. ୬୦ କୋଟି ଟଙ୍କା ଗ୍ରହଣ କରିଛନ୍ତି । ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ଅନୁସାରେ ଗତକାଲି ପୂର୍ବାହ୍ନ ୧୦ଟା ୨୦ ମିନିଟରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିବା କାର୍ତ୍ତିଙ୍କୁ ପୁଣି ଥରେ ଅଗଷ୍ଟ ୨୮ ତାରିଖରେ ହାଜର ହେବାକୁ କୁହାଯାଇଛି।
ଏଠାରେ ଆମେ କହି ରଖୁଛୁ କି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଦୁର୍ନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ପଚରାଉଚୁରା ନେଇ ସିବିଆଇ ଅଫିସରେ ହାଜର ହୋଇଥିଲେ । ତଦନ୍ତ ପ୍ରକ୍ରିୟାରେ ପଚରାଉଚୁରା ପାଇଁ କାର୍ତ୍ତି ନୂଆଦିଲ୍ଲୀ ସ୍ଥିତ ସିବିଆଇ ହେଡକ୍ୱାର୍ଟରରେ ଅଗଷ୍ଟ ୨୩ ତାରିଖରେ ହାଜର ହେବେ ବୋଲି ଗତ ୧୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲା ।
ମୁଖ୍ୟ ବିଚାରପତି ଜେ.ଏସ ଖେହର ଏବଂ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ, କାର୍ତ୍ତି ପଚରାଉଚୁରା ପ୍ରକ୍ରିୟାରେ ସାଥୀରେ ତାଙ୍କ ଓକିଲଙ୍କୁ ଆଣିପାରିବେ ତେବେ କାର୍ତ୍ତି ଗତକାଲି ସିବିଆଇ ଅଫିସକୁ ତାଙ୍କ ଓକିଲଙ୍କୁ ନେଇ ଯାଇଥିଲେ ବି ସିବିଆଇର ପରରାଉଚୁରା ସମୟରେ ତାଙ୍କ ଓକିଲଙ୍କୁ ରହିବାର ଅନୁମତି ମିଳିନଥିଲା ।
ଆଇଏନଏକ୍ସ ମିଡିଆକୁ ବିଦେଶ ନିବେଶର ମଞ୍ଜୁରି ଦେଇ କମ୍ପାନୀଠାରୁ ୩.୫ କୋଟି ଟଙ୍କା ଲାଞ୍ଚ କାରବାରରେ ଜଡିତ ଥିବାରୁ କାର୍ତ୍ତିଙ୍କ ବିରୋଧରେ ସିବିଆଇ ଲୁକଆଉଟ୍ ନୋଟିସ ଜାରି କରିଥିଲେ । ତେବେ ଲୁକଆଉଟ୍ ନୋଟିସ ହଟାଇବାପାଇଁ କାର୍ତ୍ତି ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ ଏବଂ କାର୍ତ୍ତିଙ୍କ ଲୁକ୍ ଆଉଟ୍ ନୋଟିସ ଉପରେ ମାଡ୍ରାସ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । କିନ୍ତୁ ମାଡ୍ରାସ ହାଇକୋର୍ଟଙ୍କ ରହିତାଦେଶକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା ଏବଂ ତାଙ୍କ ବିଦେଶ ଗସ୍ତ ଉପରେ ରୋଗ ଲଗାଯାଇ କାର୍ତ୍ତିଙ୍କୁ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପୂର୍ବରୁ କାର୍ତ୍ତିଙ୍କୁ ଦୁଇଥର ସିବିଆଇରେ ହାଜର ହେବାକୁ ସମନ ଜାରି କରାଯାଇଥିଲେ ବି ସେ ହାଜର ହୋଇନଥିଲେ ଏବଂ କହିଥିଲେ ତାଙ୍କ ବିରୋଧରେ ଲାଗୁ ହୋଇଥିବା ଲୁକ୍ ଆଉଟ୍ ନୋଟିସ ବିରୋଧରେ ସେ କୋର୍ଟରେ ଚ୍ୟାଲେଂଜ କରୁଛନ୍ତି ଏବଂ ସିବିଆଇକୁ ଏହାର ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/kirti.jpg)