କନକ ବ୍ୟୁରୋ: ମଙ୍ଗଳବାର ଦିନ ବିହାର ଅନ୍ତର୍ଗତ ଦରଭଙ୍ଗା ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ନିଓ-ନାଟାଲ ଇନଟେନସିଭ କେୟାର୍ ୟୁନିଟରେ ମୂଷା କାମୁଡ଼ି ଦେବାରୁ ଜଣେ ୮ ଦିନର ନବଜାତ ଶିଶୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଦରଭଙ୍ଗା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ ଠାରେ ସକାଳେ ଛୁଆଟିକୁ ସ୍ତନ୍ୟପାନ କରାଇବାକୁ ତା’ର ମାଆ ଗଲାବେଳେ କଥାଟି ପଦାକୁ ଆସିଥିଲା। ପିଲାଟିର ପିତାମାତା ମଧୁବନ ଜିଲ୍ଲାର ନିଜ୍ରା ଗାଁ’ରୁ ଆସିଥିଲେ। ସେମାନଙ୍କର ଅଭିଯୋଗ ମୂଷା କାମୁଡ଼ିବା ଯୋଗୁଁ ଛୁଆର ମୃତ୍ୟୁ ଘଟିଛି। କ୍ଷତସ୍ଥାନରୁ ରକ୍ତ ଝରୁଥିଲା ଏବଂ ଶିଶୁପୁତ୍ରର ଗୋଡ଼ ଓ ହାତ ଆଙ୍ଗୁଠିରେ ଖଣ୍ଡିଆଖାବରା ହୋଇଥିବା କଥା ସେମାନେ କହିଛନ୍ତି। ଡାକ୍ତରଖାନା, କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ସେମାନେ କହିବା ଅନୁସାରେ, ସାଙ୍ଘାତିକ ହୃଦ୍ ସମସ୍ୟା ଯୋଗୁଁ ପାହାନ୍ତା ପ୍ରାୟ ୪: ୩୦ରେ ପିଲାଟି ମରିଯାଇଥିଲା।

Advertisment

publive-imageଡାକ୍ତରଖାନାର ଶିଶୁ ବିଭାଗର ଭାରପ୍ରାପ୍ତ ଓଁ ପ୍ରକାଶ କହିଛନ୍ତି ଯେ, ଜନ୍ମ ସମୟରେ ହୃତପିଣ୍ଡଗତ ଜଟିଳତା ଯୋଗୁଁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ଛୁଆଟିକୁ ୮ ଦିନ ତଳେ ଡାକ୍ତରଖାନାର ପେଡିଆଟ୍ରିକ୍ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ମୂଷାଗୁଡ଼ିକ ଡାକ୍ତରଖାନାରେ ଉତ୍ପାତ କରୁଥିବା କଥା ଓଁ ପ୍ରକାଶ ସ୍ୱୀକାର କରିଥିଲେ ବି, ମୂଷା କାମୁଡ଼ା ଯୋଗୁଁ ପିଲାର ମୃତ୍ୟୁ ଘଟିଛି ବୋଲି ତା’ର ପିତାମାତା କରୁଥିବା ଦାବିକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି। ସେ କହନ୍ତି: ବହୁ ଉଦ୍ୟମ ପରେ ମଧ୍ୟ ଡାକ୍ତରଖାନାରେ ମୂଷାମାନଙ୍କୁ ଅକ୍ତିଆର୍ କରିବା କାଠିକର ପାଠ ହୋଇଗଲାଣି। ଡେପୁଟି ଡେଭଲପମେଣ୍ଟ କମିସନର୍ କାରି ପ୍ରସାଦ ମହତୋଙ୍କ ବାସଭବନ ସମ୍ମୁଖରେ ପିଲାର ପିତାମାତା ଏବଂ ଅନ୍ୟ ଆତ୍ମୀୟମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

publive-imageଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ରଶେଖର ପ୍ରସାଦ ସିଂହ ଡେପୁଟି ଡେଭଲପମେଣ୍ଟ କମିସନର୍, ସବ୍-ଡିଭିଜିନାଲ୍ ଅଫିସର୍ ଏବଂ ସବ୍-ଡିଭିଜିନାଲ୍ ପୋଲିସ୍ ଅଫିସରଙ୍କୁ ସାମିଲ କରି ଏକ ତିନିଜଣିଆ କମିଟି ଗଠନ କରିଛନ୍ତି। ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି।