ମାର୍ଚ୍ଚରେ ୮ ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଛୁଟି ଓ ଧର୍ମଘଟ କାରଣରୁ ୮ରୁ ୧୫ ତାରିଖ ଯାଏଁ ଠପ ହୋଇପାରେ କାରବାର । ଉପଭୋକ୍ତାଙ୍କ ପାଇଁ ବଢିପାରେ ସମସ୍ୟା

822

କନକ ବ୍ୟୁରୋ: ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଆସନ୍ତାମାସରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ବନ୍ଦ ରହିପାରେ ବ୍ୟାଙ୍କ । ଫଳରେ ଆପଣ ଟଙ୍କା କିମ୍ବା ଚେକ୍‌ ଦେବା ନେବାର କାମ କରିପାରିବେ ନାହିଁ। ତେଣୁ ଅସୁବିଧାର ସମ୍ମୁଖୀନ ହେବା ପୂର୍ବରୁ ନିଜର ପ୍ରସ୍ତୁତି କରିନିଅନ୍ତୁ। ନଚେତ୍‌ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ।

ଲଗାତର ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଆସନ୍ତା ୮ ତାରିଖରୁ ୮ ଦିନ ଧରି ବ୍ୟାଙ୍କ କାରବାର ବନ୍ଦ ରହିବା ନେଇ ଆଶଙ୍କା ଉପୁଜିଛି । ସରକାରୀ ଛୁଟି ସହ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଘୋଷଣା କାରଣରୁ ଏଭଳି ସମ୍ଭାବନା ଉପୁଜିଛି । ଆସନ୍ତା ମାର୍ଚ୍ଚ ୮ ତାରିଖରେ ରବିବାର ଛୁଟି ପଡୁଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୯ ଓ ୧୦ ତାରିଖରେ ଦୋଳ ପୂର୍ଣ୍ଣିମା ଓ ହୋଲି ପଡୁଥିବାରୁ ସରକାରୀ ଛୁଟି ରହିଛି । ପରବର୍ତୀ ତିନିଦିନ ଅର୍ଥାତ ୧୧, ୧୨ ଓ ୧୩ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ।

ମାର୍ଚ୍ଚ ୧୪ ତାରିଖ ହେଉଛି ମଙ୍କସର ଦ୍ୱିତୀୟ ଶନିବାର ତେଣୁ ବ୍ୟାଙ୍କ ବନ୍ଦ ରହିବ । ଏହା ପରଦିନ ରବିବାର ପଡୁଥିବାରୁ ମଧ୍ୟ ଛୁଟି ରହିବ । ଏହିଭଳି ଲଗାତର ୮ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଉପଭୋକ୍ତା ହଇରାଣ ହେବାର ଆଶଙ୍କା ଉପୁଜିଛି । ବ୍ୟାଙ୍କ କାରବାର ଅଚଳ ହୋଇଗଲେ ବିଭିନ୍ନ ପ୍ରକାର ପ୍ରଭାବ ପଡିବା ନେଇ ଆଶଙ୍କା ଉପୁଜିଛି । ବ୍ୟବସାୟ ଉପରେ ବଡ ପ୍ରଭାବ ପଡିପାରେ । ଏଟିଏମ ଗୁଡିକରେ ପର୍ଯ୍ୟପ୍ତ ନଗଦ ଟଙ୍କା ମହଜୁଦ ନରଖିଲେ ମଧ୍ୟ ସର୍ବସାଧାରଣ ହଇରାଣ ହରକତ ହୋଇପାରନ୍ତି ।