ନୀତି ଆୟୋଗ ବୈଠକକୁ ଆସିଲେନି ୮ ମୁଖ୍ୟମନ୍ତ୍ରୀ। ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ

239

କନକ ବ୍ୟୁରୋ: ଦେଶର ବିକାଶ ପାଇଁ ମୁଖ୍ୟ ଯୋଜନା ପ୍ରସ୍ତୁତ କରୁଥିବା ନୀତି ଆୟୋଗ ବୈଠକ ଶନିବାର ଆୟୋଜିତ ହୋଇଛି । ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏଥିରେ ଯୋଗଦେଇନାହାଁନ୍ତି ୭ରୁ ଅଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ । ଥିମ୍ ‘ବିକଶିତ ଭାରତ ୨୦୪୭’କୁ ନେଇ ବୈଠକରେ ରଣନିତି ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ ୮ଟି ପ୍ରସଙ୍ଗ- ୨୦୪୭ର ବିକଶିତ ଭାରତ, ଏମଏସଏମଇ, ପୁଞ୍ଜି ନିବେଶ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ।

କାହିଁକି ଆସିଲେନି ମୁଖ୍ୟମନ୍ତ୍ରୀ?
– ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସୁସ୍ଥତା ଦର୍ଶାଇ ଯୋଗ ଦେଇନାହାଁନ୍ତି
– ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ନେଇ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରି ଯୋଗ ଦେଇ ନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ
– ରାଜ୍ୟର ସ୍ୱାର୍ଥ ଉପରେ ଗୁରୁତ୍ୱ ଦିଆଯାଉନଥିବା କହି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଯାଇନାହାଁନ୍ତି
– ତୃତୀୟ ସାମୁଖ୍ୟ ଗଠନ ପ୍ରୟାସରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ବର୍ଜନ କରିଛନ୍ତି
– ଅନ୍ୟ କାରଣ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାଁନ୍ତି

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରତିବର୍ଷ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ନୀତି ଆୟୋଗ ବୈଠକ କରାଯାଇଥାଏ । ବୈଠକରେ ଆଗାମୀ ଦିନରେ କିପରି ରାଜ୍ୟ ଓ ଦେଶର ବିକାଶ ହେବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ରାଜନୈତିକ କାରଣ ଦର୍ଶାଇ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଉନାହାନ୍ତି । ଯାହା ଫଳରେ ଉଭୟ ରାଜ୍ୟ ଓ ଦେଶର ବିକାଶରେ ବାଧା ସୃଷ୍ଟି ହେଉଛି । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଯୋଗସୂତ୍ର ରକ୍ଷା ହୋଇପାରୁନାହିଁ । ତେବେ ବୈଠକରେ ୨୦୪୭କୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ଭତ୍ତିଭୂମି ବିକାଶ ଉପରେ ମୁଖ୍ୟତଃ ଗୁରୁ୍ତ୍ୱ ଦେବାକୁ ନିଷ୍ପତି ହୋଇଥିବା ସୂଚନା ମିଳିଛି ।

ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନୀତି ଆୟୋଗ ବୈଠକରେ ଯୋଗ ଦେଉନଥିବାରୁ କେନ୍ଦ୍ର ସେମାନଙ୍କ ସହ ପାତରଅନ୍ତର କରୁଥିବା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ ।