କନକ ବ୍ୟୁରୋ : ପୁତୁରାର ବିବାହ ଉତ୍ସବରେ ଖୋଲାଖୋଲି ଭାବେ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଘଟଣା ଗୁଜୁରାଟର ଜନୈକ ବରିଷ୍ଠ ବିଜେପି ନେତାଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅଭିଯୋଗରେ ଗୁଜୁରାଟ ପୁଲିସ୍ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି । ବିଜେପି ଧରାମପୁର ତାଲୁକା ମୁଖ୍ୟଙ୍କ ପୁତୁରାର ବିବାହ ଉତ୍ସବରେ ସୋମବାର କୋଭିଡ୍-୧୯ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା ।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଗୁଜୁରାଟ ଭାଲସାଦ ଜିଲ୍ଲାର ବିଜେପି ତାଲୁକା ସଭାପତିିଙ୍କ ଭାଇ ଅରବିନ୍ଦ ଭାଣ୍ଡୁଙ୍କ ପୁଅ ପାଇଁ ଆୟୋଜିତ ବିବାହ ଉତ୍ସବରେ କୋଭିଡ୍-୧୯ ନିର୍ଦ୍ଦେଶାବଳୀର ପାଳନ କରାଯାଇ ନଥିଲା । ବିବାହ ଉତ୍ସବ ପାଇଁ ଆୟୋଜିତ ସଂଗୀତ ସମାରୋହରେ, ଶହେରୁ ଅଧିକ ଲୋକ ବିନା ମାସ୍କରେ ଏକାଠି ହୋଇଥିଲେ ଏବଂ ସାମାଜିକ ଦୂରତା ନିୟମର ପାଳନ କରି ନଥିଲେ ବୋଲି ପୁଲିସ ଅଧୀକ୍ଷକ ରାଜଦୀପ ସିଂ ଜାଲା ଗଣମାଧ୍ୟମକୁ କହିଛନ୍ତି ।
ଏ ସଂପର୍କରେ ପୁଲିସ୍କୁ ସୂଚନା ମିଳିବା ପରେ ଧରାମପୁର ମହିଳା ପୁଲିସ ସବ୍- ଇନ୍ସପେକ୍ଟର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ କୋଭିଡ୍-୧୯ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବା ସହ ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଗିରଫ କରିଥିଲେ । ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଥିବା ପୁଲିସ ଅଧୀକ୍ଷକ ରାଜଦୀପ ସିଂ କହିଛନ୍ତି ।