ଲଦାଖ ଉପରେ ଅଟକିଲା କଥା: କିଛି ଶୁଣିବାକୁ ନାରାଜ ଚୀନ

184

କନକ ବ୍ୟୁରୋ: ଦୀର୍ଘ ୮ ଘଣ୍ଟା ଆଲୋଚନା ପରେ ବି ବାହାରିଲାନି ନିଷ୍କର୍ସ । କିଛି କଥା ଶୁଣିବାକୁ ନାରାଜ ଚୀନ । ଭାରତ ଓ ଚୀନ ମଧ୍ୟରେ ବଢୁଥିବା ବିବାଦ ଥମିବାର ନାଁ ନେଉନି । ଗୋଟେପଟେ ଭାରତ ଶାନ୍ତି ଚାହୁଁଥିବାବେଳେ ଚୀନ କିନ୍ତୁ ନିଜ ବିସ୍ତାରବାଦରେ ଅଡି ବସିଛି । ଲଦାଖରେ ଚୀନର ଅନୁପ୍ରବେଶ ନେଇ ଲାଗିରହିଥିବା ଅଶାନ୍ତିକୁ ନେଇ ଗତକାଲି ସାଢେ ୮ ଘଂଟା ଧରି ହୋଇଥିବା ୧୩ ତମ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ବି ଚୀନର ଜିଦିଆ ମନୋଭାବ ଯୋଗୁଁ ଏହା ବିଫଳ ହୋଇଛି । ହେଲେ ବୈଠକରେ ଚୀନକୁ କଡା ସନ୍ଦେଶ ଦେଇଛି ଭାରତ ।

 

ଭାରତ କହିଛି, ଏଲଏସିରେ ଏପରି ପରିସ୍ଥିତି ଚୀନ୍ ପକ୍ଷରୁ ହୋଇଥିବା ଏକପାଖିଆ ଅନୁପ୍ରବେଶରୁ ସୃଷ୍ଟି ହୋଇଛି । ଚୀନ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଉଲଂଘନ କରୁଥିବାରୁ ଅଶାନ୍ତି ସୃଷ୍ଟି ହେଉଛି । ଭାରତ ସିଧାସିଧା କହିଥିଲା, ଶାନ୍ତି ବଜାୟ ପାଇଁ ଚୀନ୍ ପଛକୁ ହଟିଯାଉ । ଏବଂ ଶାନ୍ତି ପାଇଁ ଆଗକୁ ଆସୁ । ହେଲେ ଚୀନ୍ ପ୍ରତିନିଧି ମଣ୍ଡଳ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । କିମ୍ବା ଏପରି କୌଣସି ପ୍ରସ୍ତାବ ମଧ୍ୟ ଦେଇନଥିଲେ ଯାହା ଉପରେ ଆଗକୁ ଆଲୋଚନା ହୋଇପାରିବ । ଓଲଟି ଭାରତ ଉପରେ ଦୋଷ ଲଦିଥିଲେ ଚୀନ ସେନାଧିକାରୀ । ଭାରତ ଅନୁଚିତ ଓ ଅବାସ୍ତବ ପ୍ରସଙ୍ଗ ଉପରେ ଜୋର ଦେଉଛି । ଫଳରେ ଆଲୋଚନାରେ ସମସ୍ୟା ହେଉଛି ବୋଲି ଚୀନ ସେନାଧିକାରୀ ପାଲଟା ଜବାବ ଦେଇଛନ୍ତି । ଫଳରେ ଏହି ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଏହା ପୂର୍ବରୁ ବି ଅନେକ ଥର ସେନା ସ୍ତରୀୟ ବୈଠକ ହୋଇ ନଷ୍ପତ୍ତି ନିଆଯାଉଥିଲେ ବି ଚୀନ ବାରମ୍ବାର ସୀମା ପାର କରି ନିୟମ ଉଲଂଘନ କରିଆସୁଛି ।