କରୋନା ମୁକାବିଲା : କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଗରିବ ଲୋକଙ୍କୁ ୩ ମାସ ଯାଏଁ ମାଗଣାରେ ମିଳିବ ଅତିରିକ୍ତ ୫ କେଜି ଚାଉଳ ଓ ଗହମ । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା ।

3,560

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ପୂରା ଦେଶ ଲକଡାଉନ ଥିବା ବେଳେ ଯେପରି କୌଣସି ବ୍ୟକ୍ତି ସମସ୍ୟାରେ ନ ପଡନ୍ତି କିମ୍ବା ଭୋକ ଉପାସରେ ନ ରୁହନ୍ତି ସେଥିପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଖାସକରି ଲୋକଙ୍କ ପାଖରେ କିଭଳି ଅନ୍ନ ଓ ଧନ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଚାଷୀଙ୍କ ଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକଙ୍କ ପର୍ଯ୍ୟନ୍ତ ଏପରିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାର ।

ଲକଡାଉନ ସମୟରେ ଯେପରି କୌଣସି ଲୋକ ଭୋକ ଉପାସରେ ନ ରୁହନ୍ତି ସେଥିପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାରେ ଅତିରିକ୍ତ ୫ କେଜି ହିସାବରେ ୩ ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଓ ଗହମ ମିଳିବ । ଏଥିରେ ୮୦ କୋଟି ଲୋକ ଉପକୃତ ହେବ । ସେହିଭଳି ପ୍ରତ୍ୟେକ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ୧ କେଜି ଅତିରିକ୍ତ ଡାଲି ମଧ୍ୟ ମିଳିବ । ସେହିଭଳି ଚାଷୀଙ୍କୁ ପିଏମ କିଷାନ ନିଧି ଯୋଜନାରେ ଆଗୁଆ ୨୦୦୦ ଟଙ୍କା ମିଳିବ । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଏହି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ । ଏହାଦ୍ୱାରା ୮ କୋଟି ୭୦ ଲକ୍ଷ ଚାଷୀ ପରିବାର ଉପକୃତ ହେବେ ।

ସେହିଭଳି ମନେରଗା ଯୋଜନାରେ କାମ କରୁ୍ଥିବା ଶ୍ରମିକଙ୍କ ଦୈନିକ ମଜୁରୀ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାଫଳରେ ସେମାନେ ଅତିରିକ୍ତ ୨୦୦୦ ଟଙ୍କାର ଲାଭ ପାଇପାରିବେ । ଏହାଦ୍ୱାରା ୫ କୋଟି ପରିବାର ଲାଭ ପାଇବେ । ବୟସ୍କ, ଦିବ୍ୟାଙ୍ଗ ଓ ବିଧବା ଲୋକ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଅତିରିକ୍ତ ୧୦୦୦ ଟଙ୍କା ଲେଖାଏଁ ଡିବିଟି ଜରିଆରେ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ଏହାଦ୍ୱାରା ୩ କୋଟି ଲୋକ ଲାଭ ପାଇବେ । ଏହାବାଦ୍ ଜନଧନ ଆକାଉଣ୍ଟ ଖୋଲିଥିବା ମହିଳା ମାନଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଦିଆଯିବ । ଏହାଦ୍ୱାରା ୨୦ କୋଟି ମହିଳା ଲାଭ ପାଇବେ ।

ସେହିଭଳି ଏସଏଚଜି ଗ୍ରୁପକୁ ୧୦ ଲକ୍ଷ ଟଙ୍କା ବଦଳରେ ୨୦ ଲକ୍ଷ ଟଙ୍କା ଋଣ ଦିଆଯିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହି ଋଣ ବିନା ଗ୍ୟାରେଣ୍ଟିରେ ଏସଏଚଜି ଗ୍ରୁପକୁ ମିଳୁଥିଲା । ପ୍ରାୟ ୬୩ ଲକ୍ଷ ଏସଏଚଜି ଗ୍ରୁପ ଏହାର ଫାଇଦା ଉଠାଇପାରିବେ । ସେହିଭଳି କର୍ମଚାରୀ ମାନେ ଯେପରି କୌଣସି ଆର୍ଥିକ କ୍ଷତି ନ ସହିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଇଛନ୍ତି କେନ୍ଦ୍ର ସରକାର । ଖାସକରି କର୍ମଚାରୀଙ୍କ ଇପିଏଫଓ ଖାତାରେ କେନ୍ଦ୍ର ସରକାର ଟଙ୍କା ଭରିବେ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରହିଛି, ଅଥାର୍ତ ଯେଉଁ କମ୍ପାନିରେ କର୍ମଚାରୀଙ୍କ ସଂଖ୍ୟା ୧୦୦ରୁ କମ ଥିବ କିମ୍ବା କମ୍ପାନିର ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ ଥିବ ସେମାନଙ୍କ ଇପିଏଫଓ ଟଙ୍କା ଭରିବେ କେନ୍ଦ୍ର ସରକାର । ଏହାଦ୍ୱାରା ୮୦ ଲକ୍ଷ କର୍ମଚାରୀ ଓ ୪ ଲକ୍ଷ ସଂସ୍ଥା ଲାଭ ପାଇବେ । ସେହିଭଳି ଇପିଏଫଓ ସ୍କିମ ରେଗୁଲେସନରେ ସଂଶୋଧନ କରାଯାଇଛି। ଏହାଦ୍ୱାରା କର୍ମଚାରୀ ଚାହିଁଲେ ୭୫ ପ୍ରତିଶତ ଇପିଏଫଓ ଟଙ୍କା କିମ୍ବା ୩ ମାସର ଦରମା, ଏହା ଭିତରୁ ଯେଉଁଟା କମ ଥିବ ତାହା ଉଠାଇପାରିବେ ।