୧୦୮ କୁ ପୂରିବ ୭ ବର୍ଷ । ସେବା ପାଇଛନ୍ତି ୪୭ ଲକ୍ଷ ଲୋକ, କର୍ମଚାରୀ ଲାଂଚ ମାଗିବା ଓ ଦୁର୍ଘଟଣା ବଢାଇଛି ଚିନ୍ତା

୧୦୮ କୁ ପୂରିବ ୭ ବର୍ଷ । ସେବା ପାଇଛନ୍ତି ୪୭ ଲକ୍ଷ ଲୋକ, କର୍ମଚାରୀ ଲାଂଚ ମାଗିବା ଓ ଦୁର୍ଘଟଣା ବଢାଇଛି ଚିନ୍ତା

କନକ ବ୍ୟୁରୋ : ଆଜି ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ସେବାକୁ ୭ବର୍ଷ ପୂରିବ। ଏହି ୭ବର୍ଷ ଭିତରେ ୧୦୮ ଆମ୍ବୁଲାନ୍‌ସ ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ଲକ୍ଷାଧିକ ଲୋକ ମାଗଣା ଆମ୍ବୁଲାନ୍‌ସ ସେବା ପାଇବାରେ ସକ୍ଷମ ହୋଇପାରିଛନ୍ତି। ସହରାଞ୍ଚଳଠାରୁ ଆରମ୍ଭ କରି ଅପହଞ୍ଚ ଅଞ୍ଚଳରେ ମଧ୍ୟ ୧୦୮ ଆମ୍ବୁଲାନ୍‌ସ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇଛି। ତେବେ ଲୋକଙ୍କୁ ସେବା ଯୋଗାଇବା ସହିତ ୧୦୮ ଆମ୍ବୁଲାନ୍‌ସ ମଧ୍ୟ ବିଭିନ୍ନ କାରଣରୁ ବିବାଦରେ ଛନ୍ଦି ହୋଇ ରହିଛି। କର୍ମଚାରୀ ରୋଗୀଙ୍କୁ ଟଙ୍କା ମାଗିବା ଭଳି ଘଟଣା ସହିତ ଆମ୍ବୁଲାନ୍‌ସ ଦୁର୍ଘଟଣା ହେବା ଦ୍ବାରା ରୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି। ଏସବୁ ସତ୍ବେ ୧୦୮ ଆମ୍ବୁଲାନ୍‌ସ ରାଜ୍ୟରେ ‌ରୋଗୀ ସେବାର ଜୀବନରେଖା ପାଲଟିଛି।

publive-image୨୦୧୩ ମସିହାରେ ଓଡ଼ିଶାରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିଲା। ସେବେଠାରୁ ଏହା ରାଜ୍ୟରେ ନିରବଚ୍ଛିନ୍ନ ଭାବେ ‌ସେବା ଦେଇ ଆସୁଛି। ଏହାର କଲ ସେଣ୍ଟର ଏକ ବ୍ୟସ୍ତବହୁଳ କଲ ସେଣ୍ଟର ଭାବେ ଉଭା ହୋଇଛି। ଗତ ୭ବର୍ଷ ଭିତରେ ୧୦୮ ଆମ୍ବୁଲାନ୍‌ସ କଲ ସେଣ୍ଟରକୁ ୩କୋଟି ୩୮ଲକ୍ଷ ୩୮ହଜାର ୮୪୨ କଲ୍ ଆସିଛି। ତହିଁରୁ ୪୭ଲକ୍ଷ ୮୭୩ଜଣଙ୍କୁ ସେବା ଯୋଗାଇ ଦିଆଯାଇଛି। ସେଥିରୁ ୫ଲକ୍ଷ ୪୧ହଜାର ୯୦୭ଜଣ ଦୁର୍ଘଟଣାର ଶିକାର ଓ ୪ଲକ୍ଷ ୩୨ ହଜାର ୯୪୯ଜଣ ଗର୍ଭବତୀଙ୍କୁ ୧୦୮ ଆମ୍ବୁଲାନ୍‌ସରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ରୋଗୀ କିମ୍ବା ସେମାନଙ୍କ ସଂପର୍କୀୟଙ୍କୁ ଟଙ୍କା ମାଗିବା ଅଭିଯୋଗରେ ୩ଜଣ କର୍ମଚାରୀଙ୍କୁ ଚାକିରି ବାହାର କରି ଦିଆଯାଇଥିବା ବେଳେ ଖରାପ ଗାଡ଼ି ଚାଳନା ପାଇଁ ଜଣେ କର୍ମଚାରୀ ବହିଷ୍କୃତ ହୋଇଛନ୍ତି। ଅନେକଙ୍କୁ ମଧ୍ୟ ଏଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ରାଜ୍ୟରେ ସମୁଦାୟ ୫୧୨ଟି ୧୦୮ ଆମ୍ବୁଲାନ୍‌ସ ଚଳାଚଳ କରୁଛି। ୨୦୧୩ ମସିହାରେ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ସମୟରେ ୪୨୦ଟି ଆମ୍ବୁଲାନ୍‌ସ ଏଥିରେ ସାମିଲ ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯୨ଟି ଆମ୍ବୁଲାନ୍‌ସକୁ ଏଥିରେ ସାମିଲ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୫ଟି ଚଳାଚଳ କରୁଥିବା ବେଳେ ଦେବଗଡ଼ ଜିଲ୍ଲାରେ ୪ଟି ଆମ୍ବୁଲାନ୍‌ସ ଚଳାଚଳ କରୁଛି। ଅପରପକ୍ଷରେ ୨୦୧୪ ମସିହାରେ ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୨ ଆମ୍ବୁଲାନ୍‌ସ ଆରମ୍ଭ ହୋଇଥିଲା। ରାଜ୍ୟରେ ଏବେ ୫୦୦ଟି ୧୦୨ ଆମ୍ବୁଲାନ୍‌ସ ଚଳାଚଳ କରୁଛି। ତେବେ ୧୦୮ ଓ ୧୦୨ ଆମ୍ବୁଲାନ୍‌ସକୁ ମିଶ୍ରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ହୋଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଆମ୍ବୁଲାନ୍‌ସର ବ୍ରାଣ୍ଡିଂ ଆରମ୍ଭ ହୋଇଛି। ବ୍ରାଣ୍ଡିଂ ଶେଷ ହେବା ପରେ ସରକାରଙ୍କ ତରଫରୁ ଏହି ମିଶ୍ରଣ ସଂପର୍କରେ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe