ବାତ୍ୟା ପୀଡିତଙ୍କ ପାଇଁ ସହାୟତାର କୁନି ହାତ ବଢାଇଲା କୁନି ଝିଅ ସମୀକ୍ଷା । ନିଜ ସ୍କଲାରସିପ୍ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କଲା ଦାନ ।

402

କନକ ବ୍ୟୁରୋ : କୁହାଯାଏ, ସାନ ସିନା ଦାନ ତା ମହାନ । ବାତ୍ୟା ‘ଫୋନି’ର ତାଣ୍ଡବରେ ଉପକୂଳ ଓଡିଶା ଛାରଖାର ହୋଇଯାଇଥିବା ବେଳେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଫୋନି ଚାଲିଯାଇଚି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ । ତେବେ ଏହାରି ଭିତରେ ଓଡିଶାକୁ ପୁଣି ଥରେ ଗଢିତୋଳିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଆଉ ବାତ୍ୟା ପୀଡିତଙ୍କ ପାଇଁ ଏବେ ସହାୟତାର ହାତ ବଢାଇଛି ସପ୍ତମ ଶ୍ରେଣୀରେ ପଢୁଥିବା ଏକ କୁନି ଝିଅ ।

ବାତ୍ୟା ଫୋନି ପ୍ରଭାବରେ ଅଧା ଓଡିଶା ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ, ଏହାକୁ ପୁଣି ଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହି କ୍ରମରେ ଆଜି ବ୍ରହ୍ମପୁର ବାସୁଦେବ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସପ୍ତମ ଶ୍ରେଣୀ ଛାତ୍ରୀ ସମୀକ୍ଷା ମହାନ୍ତି, ନିଜର ସ୍କଲାରସିପ୍ ବାବଦ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଷଷ୍ଠ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ସ୍କଲାରସିପ ବାବଦରେ ପାଇଥିବା ୨୪ ଶହ ଟଙ୍କାର ଚେକ୍ ବାତ୍ୟା ପୀଡିତଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି ଏହି କୁନି ଝିଅ ।

ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ସମୀକ୍ଷା ଏହି ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍କୁଲର ଶିକ୍ଷକମାନଙ୍କ ସମେତ ସମୀକ୍ଷାଙ୍କ ବାପା ରବି ନାରାୟଣ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଝିଅର ଏଭଳି ଚିନ୍ତାଧାରରେ ଅତ୍ୟନ୍ତ ଗର୍ବ ଅନୁଭବ କରୁଥିବା କହିଛନ୍ତି ସମୀକ୍ଷାଙ୍କ ବାପା । ସୂଚନାଯୋଗ୍ୟ, କୁନି ଝିଅ ସମୀକ୍ଷା, ପ୍ରଥମ ଶ୍ରେଣୀ ଠାରୁ ନେଇ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି । ସମୀକ୍ଷାଙ୍କ ବାପା ବ୍ରହ୍ମପୁର ଡିଭିଜନରେ ମେଲଗାର୍ଡ ଥିବାବେଳେ ମା’ ଜଣେ ସୁଲେଖିକା ଭାବେ ପରିଚିତ ।