କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ବୈଠକ ଆରମ୍ଭ । କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ଆଲୋଚନା। ଚାଷୀ ସଂଗଠନର କଡା ଆଭିମୁଖ୍ୟ, ସରକାର ନଶୁଣିଲେ ୨୬ ରେ ହେବ କୃଷକ ପ୍ୟାରେଡ୍

89

କନକ ବ୍ୟୁରୋ : ବାହାରିବ କି ସମାଧାନର ବାଟ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସପ୍ତମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଷୀମାନେ କହିଛନ୍ତି, ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ । ପ୍ରବଳ ଥଣ୍ଡା ଓ ଗତକାଲି ବର୍ଷା ହୋଇଥିବା ବେଳେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ସେପଟେ ଅଲୱର ଶାହଜାହନପୁରରେ ଚାଷୀମାନେ ବଳପୂର୍ବକ ପୁଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ସୀମାକୁ ଆସିବା ବେଳେ ପୁଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଚାଷୀ ନେତା ।

ସେପଟେ କୃଷକ ଆନ୍ଦୋଳନ ଓ ରିଲିୟାନ୍ସର ଟାୱାର ଭାଙ୍ଗିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରିଲିୟାନ୍ସ କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ । ସେ କହିଛନ୍ତି କି କଣ୍ଟାକ୍ଟ ଫାମିଂ କି କର୍ପୋରେଟ୍ ଫାମିଂ କରିବା ନେଇ କମ୍ପାନୀର କୌଣସି ଆଭିମୁଖ୍ୟ ନାହିଁ । ଏହା ସହ କମ୍ପାନୀ ଚାଷୀଙ୍କ ଠାରୁ ସିଧା ସଳଖ ଶଷ୍ୟ କିଣିବ ନାହିଁ । ସରକାର ଧାର୍ଯ୍ୟ କରିଥିବା ଦର ବା ଏମଏସପି ଠାରୁ କମ୍ ମୂଲ୍ୟରେ ଶଷ୍ୟ କିଣାଯିବା ନେଇ ଯେଉଁ ଗୁଜବ ଉଠୁଛି ତାହାକୁ ସେ ଖଣ୍ଡନ କରିଛନ୍ତି ।