କନକ ବ୍ୟୁରୋ: କେନ୍ଦ୍ର ସରକାର ଗତ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି କରିଥିଲେ । ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିବା ପରେ ଏହା ୩୮ ପ୍ରତିଶତରେ ପହଞ୍ଚିଛି । ସରକାରଙ୍କ ଏହି ପଦକ୍ଷେପରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୨ ଲକ୍ଷ ପେନସନଧାରୀ ଉପକୃତ ହେବେ । ଜୁଲାଇରୁ ଏହ ଲାଗୁ ହେବ ।

Advertisment

କର୍ମଚାରୀଙ୍କୁ ଡିଏରେ ବୃଦ୍ଧିର ପୁରସ୍କାର ମିଳିସାରିଛି । ତେବେ ଆଉ ଗୋଟିଏ ଆଶା ବର୍ତ୍ତମାନ ସୁଦ୍ଧା ପୂରଣ ହୋଇପାରିନାହିଁ । କର୍ମଚାରୀ ବର୍ତ୍ତମାନ ୧୮ ମାସର ଡିଏର ଏରିଅର ପାଇବା ପାଇଁ ଅପେକ୍ଷା କରିଛନ୍ତି । ପ୍ରଥମେ ଆଶା କରାଯାଉଥିଲା ଯେ ଡିଏ ବୃଦ୍ଧିର ଘୋଷଣା ସହ ଡିଏ ଏରିଅର ଟଙ୍କା ବ୍ୟାଙ୍କରେ ଜମାର ତାରିଖ ମଧ୍ୟ ଘୋଷଣା କରିବେ । ତେବେ ଏଭଳି ହେଲା ନାହିଁ । କେନ୍ଦ୍ରୀୟ କର୍ମଚାରୀଙ୍କୁ କରୋନା କାଳରେ ଡିଏ ପ୍ରଦାନ କରାଯାଇନଥିଲା । ସେପଟେ ପୁଣି ୧୮ ମାସର ଡିଏ ମଧ୍ୟ ବଳକା ରହିଛି ।

କିଛି ସଂସ୍ଥାର ରିପୋର୍ଟ ଅନୁସାରେ, ସରକାରୀ କର୍ମଚାରୀଙ୍କୁ ୧୮ ମାସର ଡିଏ ଏରିଅରକୁ ନେଇ ଶୀଘ୍ର ଘୋଷଣା ହୋଇପାରେ । ସରକାର ଦୀପାବଳି ପରେ ଡିଏ ଏରିଅର ନେଇ ନିଷ୍ପତ୍ତି ନେଇପାରନ୍ତି । ସରକାରଙ୍କ ତରଫରୁ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇନଥିବା ବେଳେ ସରକାର ଜାନୁଆରୀ ୨୦୨୦ରୁ ୨୦୨୧ ଜୁନ ଯାଏ ଡିଏକୁ ବୃଦ୍ଧି କରିନଥିଲେ । ଦେଶରେ ବର୍ତ୍ତମାନ କରୋନାର ପ୍ରଭାବ କମିକମି ଆସୁଥିବା ବେଳେ ସରକାର ୪ ପ୍ରତିଶତର ଡିଏ ବୃଦ୍ଧି କରିଥିଲେ । ତେଣୁ ଶୀଘ୍ର ଏହି ଡିଏ ମିଳିବା ନେଇ ଆଶା କରାଯାଉଛି ।