ଶନିବାର ଶାରଦୀୟ ନବରାତ୍ରୀର ସପ୍ତମ ଦିନ । ସପ୍ତମ ଦିନରେ ମା’ ଆଦିଶକ୍ତିଙ୍କ ସପ୍ତମ ଏବଂ ଉଗ୍ର ରୂପ ମା’ କାଳରାତ୍ରୀଙ୍କ ଉପାସନା କରାଯାଏ । ପୌରାଣିକ କଥାନୁସାର , ଦେବୀଙ୍କ ଏହି ପ୍ରଚଣ୍ଡ ରୂପର ପୂଜା କରିବା ଦ୍ୱାରା ଶତ୍ରୁଙ୍କ ବିନାଶ ସୁନିଶ୍ଚିତ ହୋଇଥାଏ । ମା’ଙ୍କ ଏହି ରୌଦ୍ର ରୂପକୁ ବୀରତା ଏବଂ ସାହସର ପ୍ରତିକ ମନେ କରାଯାଏ । ଧରାପୃଷ୍ଠରୁ ଦୁଷ୍ଟଙ୍କ ନାଶ କରିବା ପାଇଁ ମା’ ଜଗଦମ୍ବା ଏହି ରୌଦ୍ର ରୂପ ଧାରଣ କରିଥିଲେ । ଭକ୍ତଙ୍କ ପାଇଁ ମା’ କାଳରାତ୍ରୀ ସଦେବ ଶୁଭଫଳ ଦାୟିନୀ ଅଟନ୍ତି । ଏହି କାରଣରୁ ମା’ଙ୍କ ନାଁ ମଧ୍ୟ ‘ଶୁଭଙ୍କାରୀ’ ରହିଛି । ମା’ କାଳରାତ୍ରୀଙ୍କ ଛାୟା ପଡିଲେ ଭକ୍ତ ସଦାବେଳେ ଭୟମୁକ୍ତ ରହିଥାଏ । ଅଗ୍ନି ଭୟ,ଶତ୍ରୁ ଭୟ,କାଳ ଭୟ ,ରାତ୍ରି ଭୟ ଏବଂ ଜଳ ଭୟ ଭଳି ଅପାର ଶକ୍ତି ମଧ୍ୟ ମା’ଙ୍କ ସନ୍ତାନର ଦୃଷ୍ଠତାକୁ ଭାଙ୍ଗିବାରେ ଅସଫଳ ହୋଇଥାନ୍ତି ।

Advertisment

publive-image

ଦେବୀ କାଳରାତ୍ରୀଙ୍କ ଶରୀର ରାତ୍ରୀର ଅନ୍ଧକାରଠୁ ବି ଆହୁରି କଳା । ମୁକୁଳା କେଶ ସାଙ୍ଗକୁ ଗଳାରେ ଖପୁରୀମାଳ । ଚତୁଃଭୁଜା ମା’ଙ୍କ ହସ୍ତରେ ବଜ୍ର , ଖଡଗ,ବରମୁଦ୍ରା ଏବଂ ଅଭୟ ମୁଦ୍ରା ବିରାଜିତ । ମା’ଙ୍କ ବାହନ ହେଉଛି ଗର୍ନ୍ଧଭ (ଗଧ) । ଅସୁରଭ୍ରାତା ଶୁମ୍ଭ-ନିଶୁମ୍ଭ ଏବଂ ରକ୍ତବୀଜଙ୍କ କ୍ରୁରତାରେ ତିନିଲୋକରେ ଯେତେବେଳେ ହାହାକାର ପଡିଥିଲା ସେତେବେଳେ ସବୁ ଦେବତା ମହାଦେବଙ୍କ ପାଖକୁ ଯାଇ ପ୍ରାଣଭିକ୍ଷା କରିଥିଲେ । ମହାଦେବ ତ୍ରିଲୋକର ସବୁ ସନ୍ତାନଙ୍କ ରକ୍ଷା କରିବା ପାଇଁ ଅର୍ଦ୍ଧାଙ୍ଗିନୀ ମାତା ପାର୍ବତୀଙ୍କୁ କହିଥିଲେ । ଭୋଳାନାଥଙ୍କ ଆଦେଶରେ ମା’ ଗୌରୀ ଦୂର୍ଗା ରୂପ ଧାରଣ କରି ଶୁମ୍ଭ-ନିଶୁମ୍ଭର ବଧ କରିଥିଲେ । କିନ୍ତୁ ଯେତେବେଳେ ମା’ ଦୈତ୍ୟ ରକ୍ତବୀଜର ବଧ କରିଥିଲେ ଏହାର ରକ୍ତର ଛିଟାରେ ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମ ନେଇଥିଲେ । ଏଭଳି ସମସ୍ୟାକୁ ଦେଖି ମା’ ଦୂର୍ଗା ନିଜ ତେଜରୁ ମା’ କାଳରାତ୍ରୀଙ୍କୁ ଉତ୍ପନ୍ନ କରିଥିଲେ । ଏହାପରେ ମା’ ଦୂର୍ଗା ରକ୍ତବୀଜର ବଧ କରିଥିଲେ ଏବଂ ଦୈତ୍ୟର ରକ୍ତର ଛିଟା ପୃଥିବୀରେ ପଡିବା କ୍ଷଣି ରୌଦ୍ରରୂପୀ ମା’ କାଳରାତ୍ରୀ ରକ୍ତକୁ ପାନ କରିଥିଲେ । ଏହିଭଳି ଗୋଟି ଗୋଟି କରି ସବୁ ରକ୍ତବୀଜର ବଧ କରି ତ୍ରିଲୋକକୁ ଦୁଷ୍ଟ ଅସୁରଙ୍କ କବଳରୁ ରକ୍ଷା କରିଥିଲେ ମା’ କାଳରାତ୍ରୀ ।