କନକ ବ୍ୟୁରୋ : ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ବଦଳିଲା ନିୟମ ।  ଏଣିକି ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରହିବ ।ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି । ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଂଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଯଦି କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ରହିଥିବ, ତେବେ ସାଙ୍ଗେ ସାଙ୍ଗେ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ ।

Advertisment

ସେହିପରି ୭୨ ଘଂଟା ଭିତରେ ଆରଟିପିସିଆର ପରୀକ୍ଷା କରାଇଥିଲେ ୭ ଦିନିଆ ସଂଗରୋଧରେ ରହିବେ ନାହିଁ ଯାତ୍ରୀ । ଏଥିସହ କୋଭିଡ ଟିକା ନେଇ ପ୍ରମାଣ ପତ୍ର ପାଇଥିଲେ ସଂଗରୋଧରେ ରହିବା ଅନାବଶ୍ୟକ । ଏହା ବାଦ ଅନ୍ୟ ଯାତ୍ରୀମାନେ ୭ ଦିନିଆ ହୋମ ଆଇସୋଲେସନରେ ରହିଥିବା ବେଳେ ଯଦି ଲକ୍ଷଣ ଦେଖାଦିଏ, ତେବେ ଆରଟିପିସିଆର ଟେଷ୍ଟ ପାଇଁ ସେମାନଙ୍କ ନମୂନା ପଠାଯିବ । ଏଥିରେ ପଜିଟିଭ୍ ଚିହ୍ନଟ ହେଲେ, କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ । ଏହିସବୁ ରାଜ୍ୟରୁ ଫେରିଥିବା ବ୍ୟକ୍ତି, ବାହାରେ ବୁଲି ପାରିବେ ନାହିଁ, ୭ ଦିନ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ । ଏ ନେଇ ସବୁ ଜିଲ୍ଲାପାଳ, ବିମାନବନ୍ଦର ଓ ରେଳୱେ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।