ରାଜଧାନୀରେ ଟିକା ନେଲେ ୭୮୫ଜଣ । ୨୨ଟି ହସ୍ପିଟାଲରେ ୧୩୨୦ ଜଣଙ୍କୁ ଟିକା ଦେବା ପାଇଁ ହୋଇଥିଲା ଯୋଜନା

ମାତ୍ର ୭୮୫ଜଣ ଟିକା ନେଇଛନ୍ତି

107

ସୋମବାରଠାରୁ ରାଜଧାନୀରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗ ତଥା କୋ-ମର୍ବିଡିଟି ଆକ୍ରାନ୍ତ ୪୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାଦାନ ଆରମ୍ଭ ହୋଇଛି। ୧୨ଟି ସରକାରୀ ହସ୍ପିଟାଲ ଓ ୧୦ଟି ଘରୋଇ ହସ୍ପିଟାଲରେ ଏହି ଟିକା ଦିଆଯାଉଥିଲେ ହେଁ ସରକାରୀ ହସ୍ପିଟାଲରେ ଅଧିକ ଲୋକ ଟିକା ନେଇଛନ୍ତି। ପ୍ରତି ହସ୍ପିଟାଲରେ ଦିନକୁ ୬୦ଜଣ ହିସାବରେ ମୋଟ୍‌ ୨୨ଟି ହସ୍ପିଟାଲରେ ୧୩୨୦ ଜଣଙ୍କୁ ଟିକା ଦେବାକୁ ଯୋଜନା ହୋଇଥିବାବେଳେ ମାତ୍ର ୭୮୫ଜଣ ଟିକା ନେଇଛନ୍ତି। ଟିକାଦାନର ପ୍ରଥମ ଦିନରେ ଅବ୍ୟବସ୍ଥା ହେବାରୁ ଏହି ଟାର୍ଗେଟ୍ ହାସଲ ହୋଇପାରି ନ ଥିବା କୁହାଯାଉଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜଧାନୀରେ ୭୮୫ଜଣ କୋଭିଡ୍‌ ଟିକା ନେଇଥିବା‌େ‌ବଳେ ଏଥିରୁ ୭୪୯ଜଣ ବରିଷ୍ଠ ନାଗରିକ (୬୦ବର୍ଷରୁ ଅଧିକ) ଏବଂ ୩୬ଜଣ କୋମର୍ବିଡିଟି ଆକ୍ରାନ୍ତ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାଦାନ ଓ ପଞ୍ଜୀକରଣ ହୋଇଥିଲା। ସରକାରୀ ହସ୍ପିଟାଲରେ ମୋଟ୍‌ ଟିକାଦାନର ୮୦% ହୋଇଥିବାବେଳେ ଘରୋଇ ହସ୍ପିଟାଲରେ ୨୦% ଟିକାଦାନ ହୋଇଛି।

ବିଏମ୍‌ସି ପକ୍ଷରୁ ସରକାରୀ ହସ୍ପିଟାଲରେ ଟିକାଦାନ ପାଇଁ ଚାରି ଜଣଙ୍କୁ ନିୟୋଜିତ କରାଯାଇଥିଲା। ଏଥିରେ ଦୁଇ ଜଣ ପ୍ରଶିକ୍ଷିତ ସ୍ବାସ୍ଥ୍ୟକର୍ମୀ ଟିକା ଦେବାକୁ ନିୟୋଜିତ ହୋଇଥିଲେ । ରାଜଧାନୀରେ ଟିକାକରଣ ଶୃଙ୍ଖଳିତ ଭାବେ କରିବା ପାଇଁ ଜୋନାଲ୍‌ ଡେପୁଟି କମିସନରମାନେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ ।