ବିଶ୍ୱର ଆଉ ଏକ ବଡ ଚୋରି । ମାତ୍ର ୧ ଫୁଟର ଫାଙ୍କ କରି ୭୮୦୦ କୋଟିର ଜୁଏଲାରୀ ଲୁଟି ନେଲେ ଚୋର ।

4,472

ବିଶ୍ୱର ସବୁଠୁ ବଡ ଚୋରି । ମାତ୍ର ଗୋଟିଏ ଫୁଟ୍ ଫାଙ୍କ ଦେଇ ୭୮୦୦ କୋଟି ଟଙ୍କାର ଜୁଏଲାରୀ ଚୋରି କରି ନେଇଛନ୍ତି ଚୋର । ଆଉ ଏହି ଚୋରି ଜର୍ମୀନୀର ଐତିହାସିକ ଡ୍ରେସଡେନ୍ ଗ୍ରୀନ ଭୋଲ୍ଟ ମ୍ୟୁଜିୟମରୁ ହୋଇଛି । ଚୋରି ହୋଇଥିବା ସମସ୍ତ ଜୁଏଲାରୀ ହୀରାରେ ନିର୍ମିତ । ସୋମବାର ଭୋର ସମୟରେ ଏହି ଚୋରି ହୋଇଥିବା ଜଣାପଡିଛି ।

ଚୋରି କରିବା ପୂର୍ବରୁ ପ୍ରଥମେ ନିଆଁ ଲଗାଇ ମ୍ୟୁଜିୟମର ଆଲାର୍ମ ସିଷ୍ଟମକୁ ନଷ୍ଟ କରିଥିଲେ ଚୋର । ଆଉ ଏହାପରେ ମ୍ୟୁଜିୟମର ଏକ କବାଟରେ ୧ ଫୁଟର ଫାଙ୍କ କରି ଭିତରକୁ ପଶିବାକୁ ସକ୍ଷମ ହୋଇଥିଲେ ଚୋର । ଆଉ ଆରମ୍ଭ ହୋଇଥିଲା ଦୁନିଆର ସବୁଠୁ ବଡ ଚୋରି । ମ୍ୟୁଜିୟମ ଭିତରେ ପୂରା ଚୋରିର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ଏଥିରେ ଚୋରଙ୍କ ମୁହଁ ସ୍ପଷ୍ଟ ଦେଖାଯାଉନାହିଁ । ଆଲାର୍ମ ସିଷ୍ଟମ ନଷ୍ଟ ହୋଇଯାଇଥିବାରୁ ଚୋରି ବାବଦରେ ବହୁତ ବିଳମ୍ବରେ ଜାଣିବାକୁ ପାଇଥିଲେ ମ୍ୟୁଜିୟମ ଅଧିକାରୀ ।

ଅଧିକାରୀଙ୍କ କହିବା ଅନୁଯାୟୀ, ମ୍ୟୁଜିୟମରେ ଥିବା ଅଷ୍ଟାଦଶ ଶତାବ୍ଦୀର ବହୁମୂଲ୍ୟ ଜୁଏଲାରୀରୁ ତିନି ସେଟ୍ ଚୋରି ହୋଇଛି । କିନ୍ତୁ ଏହାକୁ ଖୋଲା ବଜାରରେ ବିକ୍ରି କରିବା ଅସମ୍ଭବ ବୋଲି କହିଛନ୍ତି ମ୍ୟୁଜିୟମ ଅଧିକାରୀ । ଏହାଛଡା ମ୍ୟୁଜିୟମ ଅଧିକାରୀ ଜୁଏଲାରୀକୁ ନଷ୍ଟ କିମ୍ବା ନ ତରଳାଇବା ପାଇଁ ଚୋର ମାନଙ୍କୁ ଅପିଲ କରିଛନ୍ତି । ୩୦ ବର୍ଷ ପୂର୍ବେ ବୋଷ୍ଟନର ଗାର୍ଡନର ମ୍ୟୁଜିୟମରୁ ମଧ୍ୟ ୩୫୮୦ କୋଟି ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା ।

ଡ୍ରେସଡେନ୍ ଗ୍ରୀନ ଭୋଲ୍ଟ ମ୍ୟୁଜିୟମରୁ ଏତେ ବଡ ଚୋରି ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ଚୋରଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ଜର୍ମାନର ଡ୍ରେସଡେନ୍ ଗ୍ରୀନ ଭୋଲ୍ଟ ମ୍ୟୁଜିୟମ ଦୁନିଆର ପୁରୁଣା ମ୍ୟୁଜିୟମ ମଧ୍ୟରୁ ଗୋଟିଏ । ପୂରା କଡା ସୁରକ୍ଷାବଳୟ ରହିଥିବା ଏହି ମ୍ୟୁଜିୟମର ଆଲାର୍ମ ସିଷ୍ଟମ ନଷ୍ଟ କରିବାରେ ଚୋର କିଭଳି ସଫଳ ହେଲେ ଏବେ ତାହାକୁ ନେଇ ଉଠିଛି ପ୍ରଶ୍ନ ।