କନକ ବ୍ୟୁରୋ : ନିଶା ଆଗରେ ହାର ମାନିଛି ବୟସ । ୭୭ ବର୍ଷ ବୟସରେ ରାଜନୀତି କରିବାର ନିଶା କମିନି । ବାରମ୍ବାର ପରାଜୟ ହୋଇ ବି ହାରି ଯାଇନାହାନ୍ତି । ୨୦ ବର୍ଷ ତଳର ଗ୍ରାମ ଶାସନ ବ୍ୟବସ୍ଥାକୁ ମନେ ପକାଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି ରାୟଗଡାର କୋୟା ବିଡିକା ।
ଯେଉଁ ବୟସରେ ଲୋକେ ଅବସର ନେଇ ଘରେ ଆରାମ କରନ୍ତି, ବିଶ୍ରାମ ନେବାକୁ ବାଧ୍ୟ ହୁଅନ୍ତି, ସେଇ ବୟସରେ ରାଜନୀତିରେ ବେଶ ସକ୍ରିୟ ଜଣେ ୭୭ ବର୍ଷିୟ ବୃଦ୍ଧ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବୃଦ୍ଧ ଜଣଙ୍କ ଥରେ ନୁହେଁ ୧୦ ଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ବର୍ତମାନ ୧୧ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହେଇଛନ୍ତି ରାୟଗଡା ଜିଲ୍ଲା ଗାଜିଙ୍ଗା ପଞ୍ଚାୟତର କୋୟା ବିଡିକା ।
ଧଳାଧୋତି, ଧଳା ସାର୍ଟ ପିନ୍ଧି ଖାଲି ପାଦରେ ଚାଲିଚାଲି ଗାଁ ଗାଁ ବୁଲୁଛନ୍ତି । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସ୍ଥାନୀୟ ଯୁବକଙ୍କୁ ଧରି ନିର୍ବାଚନ ପ୍ରଚାରରେ ବାହାରି ପଡିଛନ୍ତି କୋୟା ବିଡିକା । ଗାଜିଙ୍ଗା ପଞ୍ଚାୟତ ସରପଞ୍ଚ ଭାବେ ତାଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରୁଛନ୍ତି । ପାଖରେ ବାହୁବଳ, ଅର୍ଥବଳ କି କୌଣସି ରାଜନୈତିକ ଦଳର ସମର୍ଥନ ନାହିଁ । ତଥାପି ଗାଁ ରାଜନୀତିରେ ସକ୍ରିୟ ଅଛନ୍ତି । ସମାଜ ସେବା କରିବା ପାଇଁ ପଞ୍ଚାୟତ ପ୍ରାର୍ଥୀ ହୋଇଥିବା କହିଛନ୍ତି । ୨୦୦୨ ଭଳି ଚଳିତ ନିର୍ବାଚନରେ ଲୋକ ତାଙ୍କୁ ବିଜୟୀ କରିବେ ବୋଲି ଆଶା ରଖିଛନ୍ତି ଏହି ୭୭ ବର୍ଷିୟ ପଞ୍ଚାୟତ ପ୍ରାର୍ଥୀ କୋୟା ବିଡିକା ।