କନକ ବ୍ୟୁରୋ: ମାଆ ! ଯନ୍ତ୍ରଣା ସହୁଥିବା ଜଣେ ଜୀବନ୍ତ ଦେବୀର ନାଁ । ମାଆ ପିଲାଙ୍କ ପାଇଁ ସବୁ ସହିପାରେ । ଜନ୍ମକଲା ଦିନଠୁ ଜୀବନ ଯିବା ଯାଏଁ ପିଲାଙ୍କ ଅଳିଅର୍ଦ୍ଦଳି ସହିଥାଏ । ନିଜେ ନପିନ୍ଧି ପିଲାଙ୍କୁ ପିନ୍ଧାଏ, ନିଜେ ନଖାଇ ଛୁଆଙ୍କୁ ଖୁଆଏ... ମଲାଯାଏଁ ପିଲାଙ୍କୁ ନିଜ ପଣତ ତଳେ ଘଣ୍ଟ ଘୋଡେଇ ରଖିଥାଏ... ଛୁଆଁଙ୍କ ପାଇଁ ମାଆ କେତେ କଷ୍ଟ ସହିପାରେ, ସମୟ ସହ ଲଢେଇ କରି କେତେ ଯନ୍ତ୍ରଣା ସହିପାରେ ... ହୁଏତ ଏ ବୁଢୀମାଆର କାହାଣୀ ଶୁଣିଲେ ଆପଣ ଜାଣିପାରିବେ ଯେ ମାଆ ଆମ ଜୀବନରେ କେତେ ମୂଲ୍ୟବାନ, କେଡେ ବଡ ରତ୍ନଟିଏ...
କେନ୍ଦ୍ରାପଡା ରାଜନଗର ରାଜେନ୍ଦ୍ରପୁର ଗାଁର ସ୍ନେହଲତା ମଣ୍ଡଳ । ଚମ ଧୁଡୁଧୁଡୁ ଶରୀର, ଭିତରକୁ ପଶିଯାଇଥିବା ଅଭାବୀର ଆଖି ଆଉ ହାଡ ଦିଖଣ୍ଡର ଦେହ ଦେଖି ଆପଣ ତାଙ୍କ ବୟସର ଅନୁମାନ ଲଗାଇ ପାରୁଥିବେ । ଆଜ୍ଞା ହଁ ତାଙ୍କୁ ୭୫ ଛୁଇଁଲାଣି । ହେଲେ ବୟସର ଅପରାହ୍ନରେ ବି ସେ ପିଲାଙ୍କ ବୋଝ ବୋହି ଚାଲିଛନ୍ତି । ଯେଉଁ ବୟସରେ ପିଲାମାନେ ମାଆର ସାହାରା ସାଜିଥାନ୍ତେ ଆଜି ସେହି ଛୁଆଙ୍କୁ ସାହାରା ଦେଉଛି ଏ ଅସହାୟ ମାଆ, ଭେଣ୍ଡିଆ ପୁଅମାନଙ୍କ ସବୁ ବୋଝ ବହୁଛି ଏ ନଇଁ ପଡିଥିବା ଅଣ୍ଟା ଆଉ ବଳ ନଥିବା ହାତ ।
ବୁଢିମାଆର ଚାରି ଚାରିଟି ପୁଅ ଦିବ୍ୟାଙ୍ଗ ଓ ମାନସିକ ବିକାରଗ୍ରସ୍ତ । ପୁଅ ଅଭିମନ୍ୟୁ, ଅଜୟ, ବିଜୟ ଓ ହାରାଧନ ଦିବ୍ୟାଙ୍ଗ ହୋଇଥିବାରୁ ସେମାନଙ୍କର ସାହା ସେମାନଙ୍କ ମାଆ । ଅଭାବ, ଅନଟନ, ଅନାହାରରେ ରହୁଥିଲେ ବି ପୁଅଙ୍କ ପେଟରେ ଦାନା ଦେବାକୁ ମାଆ ପରଘରେ ବାସନ ମାଜେ, ପରପାଖେ ହାତପାତେ । ଯେତେ ଯନ୍ତ୍ରଣା ହେଲେ ବି ଘୁଷୁରୀ ଘୁଷୁରୀ ସବୁ କରିବାକୁ ପଡେ । କାରଣ ସେ ପରା ମାଆ, ମୂଲ ନଲାଗିଲେ ପୁଅମାନେ କଣ ଖାଇବେ ? ଦିବ୍ୟାଙ୍ଗ ହେଲେ ବୋଲି ସେ କଣ ହତାଦର କରିପାରିବ ? କେବେ ନୁହଁ...
ସେପଟେ ୫ ବର୍ଷ ତଳୁ ସ୍ୱାମୀ ଗଲାପରେ ୪ ପୁଅଙ୍କ ବୋଝ ବହୁଥିବା ବୁଢୀମାଆକୁ କୌଣସି ସରକାରୀ ସୁବିଧା ମିଳୁନି । କେବଳ ରାସନକାର୍ଡ ଓ ଭତା ଖଣ୍ଡେ ଧରେଇ ଦେଇ କାର ସାରିଦେଇଛି ପ୍ରଶାସନ । ୪ ପୁଅ ଦିବ୍ୟାଙ୍ଗ ଥିବାରୁ ସେମାନଙ୍କ ଭତ୍ତା କରାଇ ଦେବାକୁ ସରପଞ୍ଚଠୁ ଆରମ୍ଭ କରି ବଡ ବଡ ବାବୁଙ୍କ ଗୋଡ ତଳେ ପଡିଥିଲେ ହେଁ କେହି ଶୁଣୁ ନାହାନ୍ତି । ଘର ଖଣ୍ଡେ ପାଇଁ ଜନ ପ୍ରତିନିଧିଙ୍କ ପାଖକୁ ଧାଇଁ ଧାଇଁ ପାଦ ଘୋରି ଗଲାଣି ତଥାପି ବୟସ୍କା ବୃଦ୍ଧାଙ୍କୁ ଅଣଦେଖା କରାଯାଉଛି । ତେବେ ଯେଉଁ ବାବୁମାନେ ବୁଢୀମାଆଙ୍କ ଗୁହାରୀ ଶୁଣୁ ନାହାନ୍ତି ସେମାନେ ଥରେ ଏ ଅସହାୟତାର ଆଖିକୁ ଦେଖିଲେ, କଣ ତାଙ୍କ ଭିତରେ ଗୋଟେ ମାଆକୁ ଆପଣ ଦେଖିପାରୁ ନାହାନ୍ତି ? ପିଲାବେଳେ ଆପଣଙ୍କ ପାଇଁ ମାଆ ସହିଥିବା ଯନ୍ତ୍ରଣାକୁ ଥରେ ଆଖିବୁଜି ଅନୁଭବ କରନ୍ତୁ । ଆପଣଙ୍କ ଆଖିରେ ଲୁହ ଆସିଯିବ ଆଉ ବୁଝିପାରିବେ ଏ ବୁଢୀମା ଏବେବି ପିଲାଙ୍କ ପାଇଁ କେତେ ଯୁଝିହେଉଛି...