କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ପଦର ଶପଥ ନେଇସାରିଛନ୍ତି ନରେନ୍ଦ୍ର ମୋଦୀ । ରବିବାର ୩ୟ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ । ମୋଦୀଙ୍କ ସହ ଆଉ ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିିଛନ୍ତି । ଆଉ ଏହି ୭୧ ମନ୍ତ୍ରୀଙ୍କ ଭିତରୁ ଜଣେ ହେଲେ ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚାର ନେତା ଜିତନ୍ ରାମ ମାଞ୍ଝୀ । ତେବେ ଜିତନ୍ ରାମ ମାଞ୍ଝୀଙ୍କ ବୟସ ହେଉଛି ୭୯ ବର୍ଷ, ଆଉ ତାଙ୍କର ଏହି ବୟସକୁ ନେଇ ଏବେ ଚର୍ଚ୍ଚା ବଢିଛି ।
କୁହାଯାଉଛି ଯେଉଁ ମୋଦୀ ସରକାର ଦିନେ ୭୫+ ଫର୍ମୁଲାରେ ଚାଲୁଥିଲା, ଆଜି ସେ ମୋଦୀ ସରକାର ସେହି ନିୟମକୁ ଭାଙ୍ଗି ଦେଇଛି କି? ଅସଲ କଥା ହେଉଛି, ୨୦୧୬ରେ ମୋଦୀ କ୍ୟାବିନେଟରୁ ଏକାଧିକ ମନ୍ତ୍ରୀଙ୍କୁ କାଢି ଦିଆଯାଇଥିଲା । ଆଉ ଏହା ପଛରେ ତାଙ୍କ ବୟସକୁ କାରଣ ଦର୍ଶାଯାଇଥିଲା । ଯେଉଁ ମନ୍ତ୍ରୀଙ୍କ ବୟସ ୭୫ ପାର୍ କରିଥିଲା, ସେହି ନେତାଙ୍କୁ ମୋଦୀ କ୍ୟାବିନେଟରୁ ବାଦ୍ ଦିଆଯାଇଥିଲା । ହେଲେ ଏବେ କିନ୍ତୁ ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ କ୍ୟାବିନେଟରେ ସାମିଲ କରିବା ପରେ, ଏହି ଚର୍ଚ୍ଚା ପୁଣି ଜୋର ଧରିଛି ।
୨୦୧୪ରେ କ୍ଷମତାକୁ ଆସିବା ପରେ ୭୫+ ବୟସର ଏହି ଅଲିଖିତ ନିୟମକୁ ଲାଗୁ କରିଥିଲା ବିଜେପି । ସେତେବେଳେ ବିଜେପି ନିଜର ମାର୍ଗଦର୍ଶକ ମଣ୍ଡଳ ଗଠନ କରିଥିଲା । ଆଉ ଏଥିରେ ୭୫ ବର୍ଷରୁ ଅଧିକ ଆୟୁର ସିନିୟର ନେତାଙ୍କୁ ସାମିଲ କରିଥିଲା । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଯଶୱନ୍ତ ସିହ୍ନାଙ୍କ ଭଳି ନେତା ଏଥିରେ ସାମିଲ ହେଇଥିଲେ । ଏହାପରେ ୨୦୧୬ରେ ମୋଦୀ କ୍ୟାବିନେଟରୁ ୬ ଜଣ ନେତାଙ୍କୁ ବାଦ୍ ଦିଆଯାଇଥିଲା । ତନ୍ମଧରେ ଥିଲେ ୭୬ ବର୍ଷୀୟ ନଜମା ହେପତୁଲ୍ଲା ।
ସେ ସମୟରେ ମୋଦୀ କ୍ୟାବିନେଟରେ ସବୁଠୁ ବୟସ୍କ ମନ୍ତ୍ରୀ ଥିଲେ ହେପତୁଲ୍ଲା । ଆଉ ତାଙ୍କୁ ମୋଦୀ କ୍ୟାବିନେଟରୁ ବାଦ୍ ଦିଆଯିବା ସହିତ ପରେ ପରେ ମଣିପୁରର ରାଜ୍ୟପାଳ କରାଯାଇଥିଲା । ସେହିପରି ବୟସ ଦୃଷ୍ଟିରୁ ମୋଦୀ କ୍ୟାବିନେଟରୁ ବାଦ୍ ପଡିଥିବା ଆଉ ଜଣେ ନେତା ହେଉଛନ୍ତି କଲରାଜ ମିଶ୍ର । ୨୦୧୭ରେ ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ କଲରାଜ । ଆଉ ଇସ୍ତଫା ଦେବା ସମୟରେ ତାଙ୍କ ବୟସକୁ ନେଇ ଢେର ଚର୍ଚ୍ଚା ହେଇଥିଲା । କୁହାଯାଉଥିଲା, ୭୫+ ବୟସ କାରଣରୁ ତାଙ୍କୁ ମୋଦୀ କ୍ୟାବିନେଟରୁ ବାଦ୍ ଦିଆଯାଇଛି । ଖାଲି ସେତିକି ନୁହେଁ, ମୋଦୀ ସରକାର ଆସିବା ପରେ ଏମିତି ଅନେକ ନେତା ଅଛନ୍ତି, ଯାହାଙ୍କ ବୟସ ୭୫ ବର୍ଷ ପାର୍ କରିବା ପରେ, ସେମାନଙ୍କୁ କ୍ଷମତାରୁ ଦୂରେଇ ରଖାଯାଇଛି । ହେଲେ ଏବେ ମୋଦୀଙ୍କ ନୂଆ କ୍ୟାବିନେଟରେ ଏମିତି ଏକାଧିକ ନେତା ଅଛନ୍ତି ଯେଉଁମାନଙ୍କ ବୟସ ୭୦ ବର୍ଷରୁ ଅଧିକ । ଖାସ୍ କରି ୭୯ ବର୍ଷୀୟ ଜୀତନ୍ ରାମ ମାଞ୍ଝୀଙ୍କୁ କ୍ୟାବିନେଟରେ ସାମିଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ବଢିଛି ।
ସୂଚନାଯୋଗ୍ୟ ଯେ, ମୋଦୀଙ୍କ ନୂଆ କ୍ୟାବିନେଟର ହାରାହାରି ଆୟୁ ରହିଛି ୫୮ ବର୍ଷ । ମୋଦୀଙ୍କ ୩.୦ ସରକାରରେ ୩୬ ବର୍ଷୀୟ ରାମମୋହନ ନାଇଡୁ ସବୁଠୁ ଯୁବ ମନ୍ତ୍ରୀ ହେଇଥିବାବେଳେ, ୭୯ ବର୍ଷୀୟ ଜୀତନ୍ ରାମ ମାଞ୍ଝୀ ସବୁଠୁ ବୟସ୍କ ମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/1-20.jpg)