ବର୍ଷା ହେଲେ ଭୁବନେଶ୍ୱରରେ ରହିବାକୁ ପଡିବ ସାବଧାନ: ଜଳବନ୍ଦୀ ଦୃଷ୍ଟିରୁ ୭୫ଟି ସ୍ଥାନ ବିପଦସଙ୍କୁଳ 

128

କନକ ବ୍ୟୁରୋ: ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ ରହିବାକୁ ପଡିବ ସାବଧାନ । ଜଳବନ୍ଦୀ ଦୃଷ୍ଟିରୁ ଭୁବନେଶ୍ୱରର ୭୫ଟି ସ୍ଥାନ ବିପଦସଙ୍କୁଳ ଭାବେ ଚିହ୍ନଟ ହୋଇଛି । ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି । ଏହାସହ ପ୍ରାୟ ୬୫କିଲୋମିଟର ଡ୍ରେନ ଉପରେ ରହିଛି ବେଆଇନ ନିର୍ମାଣ । ରାଜଧାନୀ  ସମେତ ସମସ୍ତ ସହରାଂଚଳର ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ । ସହରାଚଂଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସବୁ ଆଲୋଚନା ହୋଇଛି ।

ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡିଥିବା ଡ୍ରେନରେ ସ୍ଲାବ ପକାଇବାକୁ ନିଷ୍ପତି ହୋଇଛି । ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ । ଏବଂ ଏହା ପରେ ସ୍ଲାବ୍ ପକାଇବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବ । ଡ୍ରେନ ସମସ୍ୟାର ସମାଧାନ ଦିଗରେ ଥିବା ଅନ୍ୟାନ୍ୟ ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥିଭାଥନନଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ନିକଟରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭୁବନେଶ୍ୱରର ମୁକୁଳା ଡ୍ରେନରେ ଭାସି ଯିବାକୁ ନେଇ ତମ୍ବି ତୋଫାନ ହୋଇଥିଲା । ବିଏମସି ଓ ନଗର ଉନ୍ନୟନ ବିଭାଗର ଅବହେଳାକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ।