‘ନିଶ୍ୱାସ’ ହେଲାନି ନିଜର । ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୪ଦିନରେ ୭୫ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ।

154

କନକ ବ୍ୟୁରୋ : ଦିଲ୍ଳୀ ଭଳି ଗୋଆରେ ଅମ୍ଳଜାନ ସଂକଟ । ସବୁଠାରୁ ଅଧିକ ମୁଣ୍ଡପିଛା ଆୟ ହିସାବରେ ଦେଶର ପ୍ରଥମ ରାଜ୍ୟ ଗୋଆରେ ଏବେ କରୋନା ଭୟଙ୍କର ରୂପ ଧାରଣ କରିଛି । ଲୋକ ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟ ବହୁତ ଛୋଟ ହୋଇଥିଲେ ଦୈନିକ ସଂକ୍ରମଣ ବଢ଼ିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଅମ୍ଳଜାନ ଅଭାବ ସାଂଘାତିକ ହୋଇଛି । ଏପରିକି ଅମ୍ଳଜାନ ଅଭାବରୁ ଗୋଆର ମେଡିକାଲ କଲେଜରେ ୪ଦିନ ଭିତରେ ୭୫ ଲୋକଙ୍କ ଜୀବନ ଗଲାଣି । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଗତ ମାସରେ ଅମ୍ଳଜାନ ଅଭାବରୁ ଦିଲ୍ଲୀରେ ଯେମିତି ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଗୋଆରେ ଠିକ୍ ସେହିଭଳି ଅବସ୍ଥା । ଗୋଆର କରୋନା ଚିକିିତ୍ସା ଯୋଗାଇ ଦେଉଥିବା ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୪ ଦିନରେ ୭୫ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଅମ୍ଳଜାନ ଅଭାବ ଯୋଗୁଁ ଏତେ ସଂଖ୍ୟାରେ ରୋଗୀଙ୍କର ମୃତ୍ୟୁ ହୋଇଛି । ଏନେଇ ଅଭିଯୋଗ କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ । ବିଜୟଙ୍କ ଅଭିଯୋଗ ଅନୁସାରେ .. ଶୁକ୍ରବାର ୧୩, ଗୁରୁବାର ୧୫, ବୁଧବାର ୨୧ ଓ ମଙ୍ଗଳବାର ୨୬ ଜଣଙ୍କର ମୃତ୍ୟୁ ହୋଇଛି ।

ଅମ୍ଳଜାନ ଅଭାବରୁ ଏତେ ସଂଖ୍ୟାରେ ରୋଗୀଙ୍କର ମୃତ୍ୟୁ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓନ୍ତ ଓ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କିଛି ଦିନ ପୂର୍ବରୁ ସହଯୋଗୀ ଥିବା ଦଳ ଗୋଆ ଫରୱାର୍ଡ ପାର୍ଟି । ସରକାରଙ୍କ ଅପରାଗତା ଓ ଦାୟିତ୍ୱହୀନତା ପାଇଁ ଏପରି ଘଟିଲା ବୋଲି ଅଭିଯୋଗ ଆଣିଛି ଦଳ । ଅନ୍ୟପଟେ କଂଗ୍ରେସ ଆଉ ପାଦେ ଆଗେଇ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛି ।

ଏହି ମାମଲାକୁ ଗୁରୁତ୍ୱର ଭାବେ ନେଇ ହାଇକୋର୍ଟର ଗୋଆ ବେଞ୍ଚ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏବଂ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ତେବେ ଅମ୍ଳଜାନ ଯୋଗାଣରେ ସମସ୍ୟା ଯୋଗୁଁ ମୃତ୍ୟୁ ହେବା କଥାକୁ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ରାଜ୍ୟରେ ଅମ୍ଳଜାନ ସଂକଟ କଥାକୁ ଖଣ୍ଡନ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।