ପାଟକୁରାବାସୀ ବାଛିଲେ ନେତା: ମତଦାନ ହାର ୭୩.୧୯%; ୨୪ରେ ଆସିବ ଫଳ

157

କନକ ବ୍ୟୁରୋ: ଶେଷ ହୋଇଛି ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ। ଇଭିଏମରେ ସିଲ୍ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ୨୦୧୪ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତ ନିର୍ବାଚନରେ ୭୩.୧୯ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଛି। ଆସନ୍ତା ୨୪ ତାରିଖରେ ଭୋଟ୍ ଗଣତି ହେବ।

ତେବେ ନିର୍ବାଚନମଣ୍ତଳୀର ବିଭିନ୍ନ ସ୍ଥାନରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହେବାରୁ ମାରପିଟ ଓ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ପୁଲିସକୁ ଲାଠିଚାଳନା ମଧ୍ୟ କରିବାକୁ ପଡ଼ିଛି। ଏହାଛଡ଼ା ଅନେକ ବୁଥ୍ରେ ଇଭିଏମ୍ ଅଚଳକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଭୋଟ ଶେଷ ହେବା ପରେ ମଧ୍ୟ କେତେକ ସ୍ଥାନରେ ବିଜେଡି ଓ ବିଜେପି ଦଳର ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହେବାରୁ ଉତ୍ତେଜନା ଲାଗି ରହିଛି।

ବହୁ ଚର୍ଚ୍ଚିତ ପାଟକୁରା ଉପନିର୍ବାଚନ ଗତକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା ଭୋଟ ଗ୍ରହଣ ପ୍ରକ୍ରିୟା । ପାଟକୁରା ନିର୍ବାଚନମଣ୍ଡଳିର ଭୋଟର ୩୦୯ଟି ବୁଥରେ ମତଦାନ କରି ନେତା ବାଛିଛନ୍ତି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ୨ଲକ୍ଷ ୪୪ହଜାର ୭୪୭ ଭୋଟର । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୭ ହଜାର ୪୩୧ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ଭୋଟର ଥିଲେ । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ ହୋଇଥିଲେ । ସେହିଭଳି ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ଅବାଧ ଓ ମୁକ୍ତ ମତଦାନ ପାଇଁ ୩୧ଟି ବୁଥରେ ୱେବ୍ କାଷ୍ଟିଂ, ୪୦ଟି ବୁଥରେ ସିସିଟିଭି, ୫୨ଟି ବୁଥରେ ମାଇକ୍ରୋଅବଜରଭର ଓ ୧୫ଟି ବୁଥରେ ମତଦାନର ଭିଡିଓଗ୍ରାଫି କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା ।