କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଝୁଣ୍ଟୁଛିି ମଣିଷ । ଧର୍ମ ଭଳି ଏକ ପବିତ୍ର ବିଶ୍ୱାସ ଆଳରେ ଲୋକମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି କିଛି ଧର୍ମାନ୍ଧମାନେ । ନିରିହ ମଣିଷର ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ମିଥ୍ୟା ଧର୍ମପ୍ରଚାରକ ଗଣ । ଏଭଳି ଜଣେ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଏବେ ୭୩ ଜଣରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Advertisment

ଯିଶୁ ଯାହାଙ୍କ ନାମ ମୁହଁରେ ଧରିଲେ ଶରୀର ଭିତରେ ଆପେ ଆପେ ପବିତ୍ରତା ଆସିଯାଇଥାଏ । ଯିଶୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ଭାଇଚାରା ଓ ବସୁଧେବ କୁଟୁମ୍ବକମ୍ ପ୍ରଚାର କରିବା ପାଇଁ ଦିନେ କୁଶବିଦ୍ଧ ହୋଇଥିଲେ । ହେଲେ ଆଜି ଜଣେ ପାଦ୍ରୀ ନିଜକୁ ଜିଶୁଙ୍କର ଅନୁଗାମୀ କହି ୭୩ ଜଣ ଲୋକଙ୍କ ମୃତ୍ୟୁର କାରଣ ପାଲଟି ଯାଇଛି ।

ଆଫ୍ରିକୀୟ ଦେଶ କେନିୟାରେ ଦେଖିବାକୁ ମିଳିଛି ଜଣେ ପାଦ୍ରୀଙ୍କ କୁଶିକ୍ଷାର କୁପରିଣାମ । ପାଦ୍ରୀ ଜଣଙ୍କ କିଛି ଲୋକଙ୍କ ସ୍ୱର୍ଗପ୍ରାପ୍ତି ପାଇଁ ପ୍ରବର୍ତ୍ତାଇ ଥିଲେ । ସେମାନଙ୍କୁ କହିଥିଲେ କି ଯଦି ସେମାନେ ଉପବାସ କରି ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କ ଆତ୍ମା ଯିଶୁଙ୍କ ସହ ଭେଟ କରିପାରିବ ।

ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଅନୁଗାମୀମାନେ ଉପବାସ କରିବା ଆରମ୍ଭ କରିଦେଇଥ୍ଲେ । ଫଳରେ ଜଣଙ୍କ ପରେ ଜଣେ ଅନୁଗାମୀଙ୍କର ମୃତ୍ୟୁ ହୋଇଥିଲା । ଏହା ଘଟଣା କେହି ଜାଣିବା ପୂର୍ବରୁ ପାଦ୍ରୀଙ୍କର କିଛି ଶିଷ୍ୟ ସେମାନଙ୍କ ଶବକୁ ନେଇ କିଲ୍ଫି ଅଞ୍ଚଳରେ ଥିବା ଶାକାହୋଲା ଜଙ୍ଗଲରେ ପୋତି ଦେଇଥିଲେ । ହେଲେ ଏନେଇ କେନିୟା ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଂଚି କବର ଭିତରୁ ଶବଗୁଡିକୁ ଉଦ୍ଧାର କରିବାରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ୭୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏଭଳି କିଛି ଚିତ୍ର ଆପଣମାନଙ୍କୁ ବିବ୍ରତ କରିଦେଇପାରେ । ଆପଣଙ୍କୁ ପୁଣି ଭାବିବାକୁ ବାଧ୍ୟ କରିବ ଯେ ଧାର୍ମିର୍କ ହେବ ଓ ଧର୍ମ ପ୍ରଚାରକମାନଙ୍କ କଥାକୁ ବିଶ୍ୱାସ କରିବା ମଧ୍ୟରେ କେତେ ଫରକ ରହିଛି । କାରଣ ମିଳିଥିବା ଶବଗୁଡିକ ମଧ୍ୟରୁ ଅନେକ ଛୋଟପିଲାଙ୍କର ଶବ ରହିଛି ।

ପୋଲିସର ସୂଚନା ମୁୂତାବକ ଶାକାହୋଲା ଗାଁରେ ପାଦ୍ରୀ ଜଣଙ୍କ ଗୁଡ୍ ନ୍ୟୁଜ ଇଣ୍ଟରନ୍ୟାସନାଲ ଚର୍ଚ୍ଚ ପରିଚାଳନ କରୁଥିଲେ । ଯିଶୁଙ୍କ ସହ ଭେଟ କରାଇଦେବା ନାମରେ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇଥିବା ପାଦ୍ରୀକୁ ପୋଲିସ ଗିରଫ କରିଛି । ଏହି ପାଦ୍ରୀ ଜଣଙ୍କର ନାମ ପର୍ଲ ମାକେଜୀ ନଥେଙ୍ଗେ ।

ଦର୍ଶକ ବନ୍ଧୁ ଧର୍ମକୁ ବିଶ୍ୱାସ କରନ୍ତୁ । ମନ୍ଦିର, ମସଜିଦ୍, ଗୀର୍ଜା ଗୁରୁଦ୍ୱାର ଯାହା ଆପଣଙ୍କର ପସନ୍ଦ ସେଠାରେ ପୂଜାର୍ଚ୍ଚନା କରନ୍ତୁ । ହେଲେ ଧର୍ମନାମରେ ବ୍ୟବସାୟ ଚଳାଇଥିବା କିଛି ଧର୍ମାନ୍ଧ ବା ଧର୍ମ ବ୍ୟବସାୟୀଙ୍କର କୁ ମନ୍ତ୍ରଣାରୁ ନିଜକୁ ଦୂରେଇ ରଖନ୍ତୁ । କିମ୍ବା ସେମାନେ ଆପଣମାନଙ୍କୁ ଦେଉଥିବା ଶିକ୍ଷାକୁ ବୁଝିବିଚାରି ପାଳନ କରନ୍ତୁ ।