ଖାକିକୁ ବଦନାମ କରିଥିବା ପୋଲିସ ବାବୁଙ୍କୁ ଘଣ୍ଟ ଘୋଡାଉଛି କି ପୋଲିସ ?

114

କନକ ବ୍ୟୁରୋ : ନିଶା କାରବାର ହେଉ କି ଗ୍ୟାଙ୍ଗଷ୍ଟର ଲିଙ୍କ୍‌, ଯୌନ ନିର୍ଯ୍ୟାତନା ହେଉ କି ହାଜତ ମୃତ୍ୟୁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପୁଲିସର କେତେକ ବାବୁ ବିବାଦ ଘେରକୁ ଆସିବା ସହ ମାମଲାରେ ଛନ୍ଦି ହୋଇଛନ୍ତି। ରାଜ୍ୟ ପୁଲିସ ଯେ‌ତେ ଭଲ କାମ କରିଥିଲେ ବି ଏଭଳି କେତେକ ହାତଗଣତି କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ପୁଲିସ ବିଭାଗକୁ ଅପବାଦ ସହିବାକୁ ପଡ଼ୁଛି। ଖାକିରେ କଳା ଦାଗ ଲାଗୁଛି। ତେବେ ପୁଲିସ ବାବୁମାନଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିଲେ ବି ଅଧିକାଂଶ କ୍ଷେତ୍ରରେ ତାହା ଫାଇଲ ତଳେ ଚାପି ହୋଇ ରହିଯାଉଛି। କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା, ଅନେକଙ୍କ ବିରୋଧରେ ଚାର୍ଜସିଟ୍‌ ବି ଦାଖଲ ହେଉନି।

ଏନସିଆରବି ତଥ୍ୟ ମୁତାବକ ଗତ ୨୦୨୦ ମସିହାରେ ପୁଲିସ ବିରୋଧରେ ୭୩ଟି ମାମଲା ରୁଜୁ ହୋଇଥିବା ‌ବେଳେ ମାତ୍ର ଗୋଟିଏ ମାମଲାର ଫାଇନାଲ୍‌ ରିପୋର୍ଟ ହୋଇଛି। ସେହିପରି ମାତ୍ର ୧୩ଜଣ ପୁଲିସଙ୍କୁ ଗିରଫ କରାଯାଇ ୪ଜଣଙ୍କର ଚାର୍ଜସିଟ୍‌ ଦାଖଲ ହୋଇଛି। ଏବେ ବି ୬୩ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇନାହିଁ। ସେହିପରି ଅନ୍ୟ ୧୦ଟି ମାମଲାର ଚାର୍ଜସିଟ୍‌ ଦାଖଲ କରି ପୁଲିସ ଚୁପ୍‌ ବସିଛି। କିନ୍ତୁ ୧୨୦ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବାର ନିୟମ ଥିଲେ ବି ଅବଶିଷ୍ଟ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇନାହିଁ। ଅଧିକାଂଶ ଅଭିଯୁକ୍ତ କର୍ମଚାରୀ ଓ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
ସେହିପରି ୨୦୨୦ରେ ପୁଲିସ ହାତରୁ ୬୮ଜଣ ଅଭିଯୁକ୍ତ ଖସିଯାଇଛନ୍ତି। ଏହି ମାମଲାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ଭାବେ ଉଭା ହୋଇଛି। ଏଥିରୁ ପୁଲିସର ଢ଼ିଲାପଣ ଓ ଅବହେଳା ଜଳଜଳ ବାରି ହେଉଛି। ଏହି କ୍ଷେତ୍ରରେ ପୁଲିସ ମାତ୍ର ୨୨ଜଣଙ୍କୁ ପୁନଃ ଗିରଫ କରିଛି। ଏବେ ବି ୪୬ ଜଣ ଫେରାର୍‌ ଅଛନ୍ତି। ପୁଲିସ ଅବହେଳା ଏବଂ ଅଭିଯୁକ୍ତଙ୍କୁ ଖସାଇଦେବାରେ ସହଯୋଗ କରିଥିବାରୁ ୪ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉଦବେଗର ବିଷୟ ହେଲା, ଏଯାଏ ମାତ୍ର ଜଣେ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇ ଚାର୍ଜସିଟ୍‌ ଦାଖଲ କରାଯାଇଛି। ବିଳମ୍ବ ଯୋଗୁଁ ମାମଲା ଗୁଡ଼ିକର ତଦନ୍ତ ଦିଗହରା ହେଲା ଭଳି ମନେ ହେଉଛି।

ଅନ୍ୟପଟେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ପୁଲିସ ବାବୁମାନଙ୍କର କୌଣସି ମହିଳାଙ୍କ ସହ ଅନୈତିକ ସମ୍ପର୍କ ନେଇ ଭିଡିଓ ଭାଇରାଲ୍‌ ହେବା, ବ୍ରାଉନ୍‌ସୁଗାର କାରବାରରେ ସଂପୃକ୍ତ ହେବା, ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କଲା ଭଳି ସଂଗିନ ଅଭିଯୋଗ ଆସିଛି। ଖାଲି ଏତିକି ନୁହେଁ ଜେଲ୍‌ ଭିତରେ ନିଶା କାରବାର, ନିଜ ସହକର୍ମୀଙ୍କ ସହ ଦୁଷ୍କର୍ମ, ବନ୍ୟଜନ୍ତୁ ଶିକାରରେ ସଂପୃକ୍ତି, ହାଜତ ମୃତ୍ୟୁ ଓ ଗୋ’ଚାଲାଣ ଏଭଳି ଅନେକ ମାମଲାରେ ସମ୍ପୃକ୍ତି ନେଇ ପୁଲିସ ବିବାଦକୁ ଆସିବା ସହ ସମାଲୋଚନାର ଶିକାର ହୋଇଛି। ଏଭଳି ଅପରାଧମୂଳକ କାର୍ଯ୍ୟରେ ସମ୍ପୃକ୍ତି ପରେ ବି ଅଧିକାଂଶ କ୍ଷେତ୍ରରେ ସେଭଳି ପୁଲିସ ବାବୁମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମାମଲା ତୁଳନାରେ ଅଭିଯୁକ୍ତ ଗିରଫ ନ ହେବା ଆଦି କାରଣରୁ ଖାକି ବର୍ଦ୍ଦି ତଳେ ଲୁଚିଥିବା ଅପରାଧୀଙ୍କ ମନୋବଳକୁ ଅଧିକ ଅପରାଧ‌ ଘଟାଇବା ପାଇଁ ପ୍ରୋତ୍ସାହିତ କରୁଥିବା ଆଲୋଚନା ହେଉଛି।