୧୨ ଜିଲ୍ଲାରେ ଏକକାଳୀନ ସେରୋ ସର୍ଭେ । ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ।

94

କନକ ବ୍ୟୁରୋ: ରାଜ୍ୟରେ ପୁରୁଷ ଓ ମହିଳା କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡି ସୃଷ୍ଟିକୁ ନେଇ କୌଣସି ତାରତମ୍ୟ ନାହିଁ । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହେବା ନେଇ କୌଣସି ବଡ ଧରଣର ପାର୍ଥକ୍ୟ ନାହିଁ । ବର୍ତ୍ତମାନ ସୁଦ୍ଧା ୭୩.୫ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

ତାଙ୍କ କହିବା ମୁତାବକ, ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା । ଯେଉଁଥିରେ ଉଭୟ ଗୋଷ୍ଠୀ ଓ ଆଗଧାଡିର କୋଭିଡ୍ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ସାମ୍ପୁଲ ସଂଗ୍ରହ କରାଯାଇଥିଲା । ଏହି ସେରୋ ସର୍ଭେରେ ମୋଟ ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ ଆଣ୍ଟିବଡି ଥିବା ଦେଖିବାକୁ ମିଳିଛି ।

ତେବେ ଏହି ୧୨ଟି ଜିଲ୍ଲାକୁ ୩ଟି ଜୋନରେ ବିଭକ୍ତ କରାଯାଇଥିଲା । ଯେଉଁଥିରେ ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାକୁ ଉତ୍ତନ ଜୋନରେ ରଖାଯାଇଥିଲା । ସେହିପରି ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜକୁ କେନ୍ଦ୍ରୀୟ ଏବଂ କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ସାଉଥ୍ ଜୋନରେ ରଖାଯାଇଥିଲା । ଏହି ଜିଲାମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ଥିବା ଦେଖିବାକୁ ମିଳିଛି । ସେହିପରି ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡାରେ ୬୮ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

ଅନ୍ୟପଟେ ବୟସ ଭିତ୍ତିରେ ମଧ୍ୟ ସେରୋ ସର୍ଭେର ରିପୋର୍ଟ ଦେଇଛନ୍ତି ସଂଘମିତ୍ରା ପତ୍ତି । ୬ରୁ ୧୦ ବର୍ଷ ବୟସର ୭୦ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେ କହିଛନ୍ତି । ସେହିପରି ୧୧ରୁ ୧୮ ବର୍ଷ ବୟସର ୭୪ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହୋଇଛି । ତେବେ ବୟସ୍କ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ଅଧିକ ରହିଛି ବୋଲି ସଂଘମିତ୍ରା ପତି କହିଛନ୍ତି ।