ଆତଙ୍କ ଖେଳାଉଛି କରୋନା ଭାଇରସ୍ ! ବଢି ବଢି ଚାଲିଛି କରୋନା ଭୂତାଣୁରେ ମୃତକଙ୍କ ସଂଖ୍ୟା, ଗୋଟିଏ ଦିନରେ ଜୀବନ ହାରିଲେ ୮୬ଜଣ ।

303

କନକ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି କରୋନାର ଭୟବହତା । ଚୀନରେ ପ୍ରତ୍ୟେକ ଦିନ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭୟଙ୍କର କରୋନାରେ ବର୍ତମାନ ସୁଦ୍ଧା ୭୨୨ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହାସହ ୩୪ ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅନେକ ଦେଶ ଚୀନକୁ ଯାଉଥିବା ବିମାନସେବା ମଧ୍ୟ ବନ୍ଦ କରିସାରିଲେଣି ।

ଚୀନରେ ବଢି ବଢି ଚାଲିଛି କରୋନା ଭୂତାଣୁରେ ମୃତକଙ୍କ ସଂଖ୍ୟା । କେବଳ ଶୁକ୍ରବାର ୮୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୩୩୯୯ ନୂଆ ଆକ୍ରାନ୍ତଙ୍କ କେସ୍ ସାମ୍ନାକୁ ଆସିଛି । ମୃତକଙ୍କ ଭିତରୁ ୮୧ ଜଣ ଉହାନ ସହରର ବୋଲି ଜଣାପଡିଛି । କରୋନା ଭୂତାଣୁ ପ୍ରଭାବରେ ବର୍ତମାନ ସୁଦ୍ଧା ୭୨୨ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୩୪ହଜାରରୁ ଉଦ୍ଧ୍ୱର୍ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ସବୁଠାରୁ ପ୍ରଥମେ କରୋନା ଭୂତାଣୁ ବିଷୟରେ ଦୁନିଆକୁ ସଚେତନ କରିଥିବା ଡାକ୍ତର ଲି ୱେଲନିଆଙ୍ଗଙ୍କ ଗୁରୁବାର ମୃତ୍ୟୁ ହୋଇ ଯାଇଛି । ଚୀନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଲି ୱେଲନିଆଙ୍ଗଙ୍କ ମୃତ୍ୟୁ କରୋନା ଭୂତାଣୁ ଯୋଗୁଁ ହୋଇଥିବା ଜଣାପଡିଛି ।

ସେପଟେ ଜାପାନରେ ଏକ କ୍ରୁଜରେ କରୋନା ଭୂତାଣୁ ସନ୍ଦେହରେ ଅଟକ ରଖାଯାଇଥିବା ୩ହଜାର ୭୦୦ ଯାତ୍ରୀଙ୍କ ଭିତରୁ ୬୧ ଜଣଙ୍କ ଭିତରେ ଭୂତାଣୁ ଥିବା ଚିହ୍ନଟ ହୋଇଛି । ଡାଇମଣ୍ଡ ପ୍ରିନ୍ସେସ କ୍ରୁଜରେ ଯାତ୍ରା କରୁଥିବା ୩ହଜାର ୭୦୦ ଯାତ୍ରୀଙ୍କ ଭିତରେ ୧୩୮ଜଣ ଭାରତୀୟ ଥିବା ଜଣାପଡିଛି । ଯେଉଁମାନଙ୍କ ଭିତରୁ ୧୩୨ ଜଣ ଜାହାଜର କର୍ମଚାରୀ ରହିଥିବାବେଳେ ୬ଜଣ ଯାତ୍ରୀ ରହିଛନ୍ତି । ତେବେ ଆକ୍ରାନ୍ତଙ୍କ ଭିତରେ କେହିବି ଭାରତୀୟ ଯାତ୍ରୀ ନଥିବା ସୂଚନା ମିଳିଛି । ଭାରତ ବୈଦେଶିକ ମନ୍ତ୍ରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଏକ ସ୍ପେଶାଲ ଆମ୍ବୁଲାନ୍ସ ଜରିଆରେ କ୍ରୁଜରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କରୋନା ଭୂତାଣୁ ସଂକ୍ରମଣରେ ଏବେ ବିଶ୍ୱର ୧୨ଟି ଦେଶ ପ୍ରଭାବିତ ହୋଇଛି । ଅନ୍ୟପଟେ ଚୀନକୁ ଯାତ୍ରା କରିବାକୁ ଅନ୍ୟଦେଶ ନିଜ ନାଗରିକଙ୍କୁ ବାରଣ କରୁଛନ୍ତି । ଚୀନ୍ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ଏବେବି ୪ହଜାର ୮୨୧ ଆକ୍ରାନ୍ତଙ୍କ ଅବସ୍ଥା ଗମ୍ଭୀର ରହିଛି । ସେପଟେ ଠିକ୍ ହେବା ପରେ ୧,୫୪୦ ଲୋକଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି । ପୂର୍ବରୁ କରୋନା ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ କାଳିନ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି ।