ଦେଶରେ ଅସମ୍ଭାଳ କରୋନା ସ୍ଥିତି । ନୂଆ ସଂକ୍ରମଣରେ ୩୫ ପ୍ରତିଶତ ବୃଦ୍ଧି । ଗତ ୨୪ ଘଂଟାରେ ଚିହ୍ନଟ ହେଲ ୭୨ ହଜାରରୁ ଅଧିକ ସଂକ୍ରମିତ

174

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦିନକୁ ଦିନ ବିପଦ ଆଡକୁ ମୁହାଁଇଛି । ଗୁରୁବାର ଦିନ ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ସହିତ ଦେଶରେ ଗୋଟିଏ ଦିନରେ ୭୨.୩୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣ   । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧, ୨୨,୨୧, ୬୬୫ କୁ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୪୫୯ ଜଣଙ୍କ ପ୍ରାଣହାନୀ ଘଟିଛି । ଯାହାକି ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ବୋଲି କୁହାଯାଇଛି । ଏହାସହ କରୋନା ସଂକ୍ରମଣ ଜନିତ ମୋଟ ମୃତକଙ୍କ ସଂଖ୍ୟା ୧,୬୨,୯୨୭ ରେ ପହଂଚିଛି । ସବୁଠାରୁ ଚିନ୍ତାର ବିଷୟ କି କରୋନାର ପ୍ରଥମ ଲହରରେ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ହାର ଠାରୁ ଦ୍ୱିତୀୟ ଲହର ବେଳେ ସୁସ୍ଥ ହାର ବେସ୍ କମୁଛି । ଗତ ୨୪ ଘଂଟା ମଧ୍ୟରେ ୪୦,୩୮୨ ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୪,୭୪,୬୮୩ । ଏବେ ସୁସ୍ଥ ହାର ୯୩.୮୯ ପ୍ରତିଶତ ରହିଛି ।

କହିରଖୁ କି ଯଦି ସଂକ୍ରମଣ ହାରକୁ ହିସାବ କରାଯିବ ତେବେ ଅଗଷ୍ଟ ୨୦୨୦ ରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଥିଲା । ୨୩ ଅଗଷ୍ଟକୁ ଏହା ବଢି ୩୦ ଲକ୍ଷ ହୋଇଥିଲା । ସେହିଭଳି ୨୦୨୦ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷରେ ପହଂଚିଥିବା ବେଳେ ୨୦୨୦ ସେପ୍ଟେମ୍ବର ବେଳକୁ ଏହି ସଂଖ୍ୟା ୫୦ ଲକ୍ଷ ହୋଇଥିଲା । ଏହାପରେ ସଂକ୍ରମଣ ହାର କମି କମି ଆସୁଥିବା ବେଳେ ଫେବୃଆରୀ ୨୦୨୧ ରୁ ପୁଣି କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଥିଲା ।