ବିଜ୍ଞାପନ ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୭ ଶହ କୋଟିରୁ ଉର୍ଦ୍ଧ । ସର୍ବାଧିକ ଭାଗ ପାଇଛି ଇଲେକ୍ଟ୍ରୋନିକ୍ସ ମିଡିଆ । ବିଓଆର ରଖିଲା ତଥ୍ୟ

404

କନକ ବ୍ୟୁରୋ : ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି ଟଙ୍କା । ଆପଣ ଭାବନ୍ତୁ ତ ଆପଣ ଟିଭି ଓ ଖବର କାଗଜରେ ଯେଉଁ ଚକ ଚକିଆ ବିଜ୍ଞାପନ ଦେଖୁଛନ୍ତି ସେଥି ପାଇଁ କେତେ ଅର୍ଥ ଖର୍ଚ୍ଚ ହେଉଛି । ଏ ଟଙ୍କା କାହାର ? ଏମିତି କିଛି ଖର୍ଚ୍ଚର ହିସାବ କରିବାକୂୁ ଯାଇ ଜଣା ପଡିଛି ଯେ କେନ୍ଦ୍ର ସରକାର ଏଭଳି ବିଜ୍ଞାପନ ପାଇଁ ଗୋଟିଏ ବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି ଟଙ୍କା । ଅର୍ଥାତ ବିଜ୍ଞାପନ ବାବଦରେ କେନ୍ଦ୍ରସରକାର ଦୈନିକ ୧ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ବିଜ୍ଞାପନ ଖର୍ଚ୍ଚରୁ ଅଧିକ ଭାଗ ଇଲେକ୍ଟ୍ରୋନିକ୍ସ ମିଡିଆ ଭାଗରେ ପଡିଛି । ସୂଚନା ଅଧିକାର ବଳରେ ଏଭଳି ତଥ୍ୟ ହସ୍ତଗତ ହୋଇଛି । ମୁମ୍ବାଇର ସୂଚନା ଅଧିକାରୀ କର୍ମୀ ଜତିନ ଦେଶାଇ ଏନେଇ ଆବେଦନ କରିଥିଲେ । ଏଥିରେ ମିଳିଥିବା ତଥ୍ୟ ମୁତାବକ ଇଲେକ୍ଟ୍ରୋନିକ୍ସ, ଛାପା ଗଣମାଧ୍ୟମ ଓ ଆଉଟଡୋର ମିଡିଆ ପ୍ରଚାରରେ ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୩.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ ତଥ୍ୟ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍ ଆଉଟରିଚ୍ ଆଣ୍ଡ କମ୍ୟୁନିକେଶନ (ବିଓଆର ) । ଏହି ତଥ୍ୟ ମୁତାବକ ଇଲେକ୍ଟ୍ରୋନିକ୍ସ ମିଡିଆକୁ ୩୧୭.୦୫ କୋଟି ଟଙ୍କା ଯାଇଥିବା ବେଳେ ଛାପା ଗଣମାଧ୍ୟମକୁ ୨୯୫.୦୫ କୋଟି ଓ ଆଉଟଡୋର ମିଡିଆକୁ ୧୦୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।