ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଭୋଟିଂ । ନେତା ବାଛିବାକୁ ଭୋଟ ଦେଲେ ୭୨ ପ୍ରତିଶତ ଭୋଟର

97

କନକ ବ୍ୟୁରୋ : ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗତକାଲି ବେଶ ସୁରୁଖୁରୁରେ ନିର୍ବାଚନ ଶେଷ ହୋଇଥିବା ବେଳେ ରାଜ୍ୟରେ ୩୫ ସାଂସଦ ଓ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସାରା ଦେଶରେ ମୋଟ ୯୫ ଲୋକସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ରାଜ୍ୟରେ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା । ଆଉ ଏହି ପର୍ଯ୍ୟାୟରେ ପ୍ରାୟ ୭୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ରାଜ୍ୟରେ କାଁ ଭାଁ ଅଘଟଣକୁ ଛାଡିଦେଲେ ବାକି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି । ତେବେ ମୋଟ୍ ୯ ହଜାର ୧୧୭ ବୁଥରେ ମତଦାନ ହେବାର ଥିବା ବେଳେ ୬ଟି ବୁଥରେ ଭୋଟ ଗ୍ରହଣ ହୋଇପାରିନାହିଁ । ସୁନ୍ଦରଗଡ ବିଧାନସଭାର ୨୧୩ ନମ୍ବର ବୁଥ୍, ବଣାଇର ୧୨୯, ଦଶପଲ୍ଲା ବିଧାନସଭାର ୨୧୦ ନମ୍ବର ବୁଥ୍ ଓ ୨୨୨ ନମ୍ବର ବୁଥ୍, ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳିର ୬୮ ବୁଥ୍, ଅତାବିରାର ୨୩୫ ନମ୍ବର ସାନି ମତଦାନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ । ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନର କ୍ରସ ପେୟାରିଂ ଯୋଗୁଁ ଏହି ସବୁ ବୁଥରେ ଭୋଟିଂ ସଠିକ୍ ପ୍ରକ୍ରିୟାରେ ହୋଇପାରିନଥିଲା । ବିଭିନ୍ନ ମୌଳିକ ସମସ୍ୟାରେ ଘାଂଟି ହେଉଥିବା ବଲାଙ୍ଗୀରର ୩ଟି ଗ୍ରାମବାସୀ ମତଦାନରୁ ବିରତ ରହିଥିଲେ ।