ଚକଲେଟ୍ ନବୀନ । ୭୨ କିଲୋ ଚକଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ଯୁବକ ।

161

କନକ ବ୍ୟୁରୋ : ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ନବୀନଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇବା ପାଇଁ ଜଣେ ଚକଲେଟ କାରିଗର ଏକ ଅଭିନବ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଭୁବନେଶ୍ୱରର ରାକେଶ କୁମାର ସାହୁ ୭୨ କିଲୋଗ୍ରାମରେ ଚକୋଲେଟରେ ମୂର୍ତ୍ତି ତିଆରି କରିଛନ୍ତି । ରାକେଶଙ୍କ ସହ ୬ ଜଣ ସଦସ୍ୟ ମିଶି ଏହି ଚକଲେଟ ମୂର୍ତ୍ତି ନିର୍ମାଣ କରିଥିବାବେଳେ ଏହାର ଉଚ୍ଚତା ଅଢେଇ ଫୁଟ ରହିଛି । ଭୁବନେଶ୍ୱରର ଟଙ୍କପାଣି ରୋଡରେ ବେକିଂ ଏବଂ ପେଷ୍ଟ୍ରି କଳା ଶିକ୍ଷା ଦେବା ପାଇଁ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ରାକେଶ ସାହୁ ନିଜର ୬ ଜଣ ଛାତ୍ରଙ୍କ ସହାୟତାରେ ଏହି ମୂର୍ତ୍ତି ନିର୍ମାଣ କରିଥିଲେ ।

ରାକେଶ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକି ପ୍ରତି ନବୀନଙ୍କର ନିରନ୍ତର ସମର୍ଥନ ପାଇଁ ସେ ଏହି ମୂର୍ତ୍ତି ନିର୍ମାଣ କରିବାର ସଂକଳ୍ପ ନେଇଥିଲେ ।  ଆଉ ସେଥିପାଇଁ ରାକେଶ ନବୀନଙ୍କ ସହ ଅଲିମ୍ପିକ ଓ ହକି ଷ୍ଟିକର ଚକଲେଟ ସ୍ୱରୂପ ନିର୍ମାଣ କରିଛନ୍ତି । ଆଜି ୩୨ ବର୍ଷୀୟ ରାକେଶଙ୍କ ଏହି ଚକଲେଟ କଳାକୃତିକୁ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଆର ଭିନୀଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ । ଏହାର ପ୍ରଦର୍ଶନୀ ଅବଧି ସମାପ୍ତ ହେବା ପରେ କୁନି କୁନି ପିଲାମାନଙ୍କ ମଧ୍ୟରେ ବ୍ୟବହୃତ ଚକୋଲେଟ୍ ବଣ୍ଟନ କରିବାକୁ କ୍ରୀଡା ବିଭାଗ ନିଷ୍ପତ୍ତି ନେଇଛି । ରାକେଶଙ୍କ ସହ ରଞ୍ଜନ ପରିଡା, ଆବୁତାର ଅଲ୍ଲୀ, ଶୁଭଲକ୍ଷ୍ମୀ ସାମଲ, ପୁଷ୍ପାଞ୍ଜଳି ନାୟକ ଓ ଅଙ୍କିତା ରଥ ପ୍ରମୁଖ ଟିମରେ ଥିଲେ ।