୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା କମିଶନରେଟ ପୁଲିସ

52

ସ୍ୱାଧୀନତା ଦିବସ ପରେଡ ଲାଗି କମିସନରେଟ୍ ପୁଲିସ ପକ୍ଷରୁ ମହାତ୍ମାଗାନ୍ଧୀ ମାର୍ଗରେ ଅଭ୍ୟାସ ଆରମ୍ଭ ହୋଇଗଲାଣି । ଅପରାହ୍ମଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଭ୍ୟାସ ଚାଲୁଛି। ଆଜି ମଧ୍ୟ ସେହି ସମାନ ସମୟରେ ଅଭ୍ୟାସ ଚାଲିବ। ମାତ୍ର ୧୩ ତାରିଖରେ ସକାଳ ୭ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ ହେବ ବୋଲି ସୂଚନା ଦିଆଯାଇଛି। ପରେଡ୍ ଅଭ୍ୟାସ ପାଇଁ ମହାତ୍ମାଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ସୂଚନା ଅନୁଯାୟୀ ଅଭ୍ୟାସ ସମୟରେ ରାଜମହଲ ଓ ରାମମନ୍ଦିର ପଟୁ ମାଷ୍ଟରକ୍ୟାଣ୍ଟିନକୁ ସଂଯୋଗ କରୁଥିବା ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ପରେଡ ସ୍ଥଳକୁ ସଂଯୋଗ କରୁଥିବା ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳର ସମସ୍ତ ରାସ୍ତା ସିଲ୍ ରହିବ। ସେହିପରି ଏଜି ଛକରୁ ପିଏମଜି, ଏବଂ ହାଉସିଂବୋର୍ଡ ଛକରୁ ପିଏମଜି ଛକକୁ କୌଣସି ଗାଡ଼ି ଆସି ପାରିବ ନାହିଁ। ଅଭ୍ୟାସରେ ଯୋଗ ଦେବାକୁ ଆସୁଥିବା ସଂଗଠନ ଓ ପରେଡ ଦେଖିବାକୁ ଆସୁଥିବା ଲୋକମାନେ ସେମାନଙ୍କ ଗାଡ଼ିକୁ ରେଳଷ୍ଟେସନ୍, କଂଗ୍ରେସ ଭବନ, ଜୟଦେବ ଭବନ, ଇଡକଲ୍ ଅଡିଟୋରିୟମ, ୩ ନମ୍ବର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ରବୀନ୍ଦ୍ର ମଣ୍ଡପ ଭିତରେ ଥିବା ଖୋଲାସ୍ଥାନ ଏବଂ ୨ନମ୍ବର ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ପାର୍କିଂ କରିପାରିବେ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

ପୁଲିସ କମିସନର୍ ସତ୍ୟଜିତ୍ ମହାନ୍ତି, ଡିସିପି ଅନୁପ ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ପରେଡ୍ ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଶାନ୍ତିଶୃଙ୍ଖଳାର ସହିତ ପରେଡ୍ ଉତ୍ସବ ଶେଷ କରିବା ସଂପର୍କରେ ଆଲୋଚନା କରିଥିଲେ। ପରେଡ ସ୍ଥଳରେ ଲାଗି ଥିବା ବ୍ୟାରିକେଡରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ ସ୍ଥଳରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ସେହିପରି ୩ ୟୁନିଟ୍ ଏସ୍ଓଜି, କ୍ୟୁଆରଟି, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହେବେ। ଏହାଛଡ଼ା ପରେଡ ସ୍ଥଳରେ ୬୦ରୁ ଅଧିକ ସିସି ଟିଭି କ୍ୟାମେରା ଖଞ୍ଜା ଯାଇଛି । ମାଷ୍ଟରକ୍ୟାଣ୍ଟିନ, ରବୀନ୍ଦ୍ରମଣ୍ଡପ, ଲୋୟରପିଏମଜି ପଛପଟ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ନଜରରେ ରଖିବା ପାଇଁ ସେଠାରେ ମଧ୍ୟ ସିସିଟିଭି ଲଗା ଯାଇଛି । ୧୦୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବଂ ଇନ୍ସପେକ୍ଟରଙ୍କ ସମେତ ୫୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ରହିବେ। ଖଣ୍ଡଗିରି, ଲକ୍ଷ୍ମୀସାଗର, ରସୁଲଗଡ଼, ସହିଦନଗର, ମାଷ୍ଟରକ୍ୟାଣ୍ଟିନ, ପଳାଶୁଣି, ରବି ଟକିଜ୍, ଚନ୍ଦ୍ରଶେଖରପୁର ଅଦି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ସ୍ୱତନ୍ତ୍ର ଚେକ୍ ପୋଷ୍ଟ ମାଧ୍ୟମରେ ଚେକିଂ ଆରମ୍ଭ ହୋଇଛି । ଏହା ଛଡ଼ା ସହର ଭିତରେ ଥିବା ଛୋଡ଼ବଡ଼ ହୋଟେଲ ଓ ଲଜରେ ମଧ୍ୟ ଯାଞ୍ଚ ଚାଲିଛି । ଡିସିପି ଟ୍ରାଫିକ୍ ଓ ଏସିପିଙ୍କ ତତ୍ତ୍ୱାବଧାନରେ ଟ୍ରାଫିକ ନିୟମ ପରିଚାଳିତ ହେବ। ଏଥର ରାଜ୍ୟସ୍ତରୀୟ ପରେଡରେ ବିଏସ୍ଏଫ୍, ଆଇଟିବିପି ଭଳି ସଶସ୍ତ୍ର ବଳ ଯୋଗ ଦେବେ ବୋଲି ଜଣାପଡ଼ିଛି।