ଭାରତୀୟ ରାଜନୀତିରେ ଅପ୍ରତ୍ୟାଶିତ ଘଟଣା ଘଟିବା ନୂଆ କଥା ନୁହେଁ। ୪ ଦିନ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏଥିରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ତେବେ, ଖୁବ୍ କମ୍ ଦିନ ଧରି ମୁଖ୍ୟମନ୍ତ୍ରୀ ରହିବା ଏବଂ ରାଜନୈତିକ ଅସ୍ଥିରତା କାରଣରୁ ଇସ୍ତଫା ଦେବାରେ ଫଡନବିସ୍ ପ୍ରଥମ ମୁଖ୍ୟମନ୍ତ୍ରୀ ନୁହନ୍ତି। ଗତ ୨୦ରୁ ୨୫ ବର୍ଷ ମଧ୍ୟରେ ଏମିତି କିଛି କିଛି ଘଟଣା ଘଟିଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ କମ୍ ଦିନ ମଧ୍ୟରେ କ୍ଷମତାରୁ ବିଦାୟ ନେବାକୁ ପଡ଼ିଛି। ସେମାନଙ୍କ ମଧ୍ୟରୁ ସର୍ବାଗ୍ରେ ରହିବେ ହରିୟାଣାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା। ଓମ୍ ପ୍ରକାଶ ବିଭିନ୍ନ ପର୍ଯ୍ୟାୟରେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ମାତ୍ର, ୧୯୯୦ ମସିହା ଜୁଲାଇ ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ରହିବା ଥିଲା ଦେଶର ରାଜନୀତିର ଏକ ଉଲ୍ଲେଖନୀୟ ଘଟଣା।
୧୯୯୮ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ମାତ୍ର ୩ ଦିନ ଦାୟିତ୍ବେର ରହିବା ପରେ ଜଗଦମ୍ବିକା ପାଲଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଉତ୍ତରପ୍ରଦେଶର ତତ୍କାଳୀନ ରାଜ୍ୟପାଳ ରମେଶ ଭଣ୍ଡାରୀ କଲ୍ୟାଣ ସିଂହ ସରକାରଙ୍କୁ ବରଖାସ୍ତ କରିବା ପରେ ଜଗଦମ୍ବିକା ୧୯୯୮ ମସିହା ଫେବ୍ରୁଆରି ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମାତ୍ର, ଆହ୍ଲାବାଦ ହାଇକୋର୍ଟ ଏହି ବରଖାସ୍ତକୁ ଅସାମ୍ବିଧାନିକ ବୋଲି କହିବା ପରେ କଲ୍ୟାଣ ପଦକୁ ଫେରିଥିଲେ। ସେହିବର୍ଷ ମଧ୍ୟ ମେଘାଳୟରେ ସମାନ ଘଟଣା ଘଟିଥିଲା। ମାତ୍ର ୧୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଏସ୍ ସି ମାରାକ ପଦରୁ ହଟିଥିଲେ। ମାରାକ ଫେବ୍ରୁଆରି ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ମାତ୍ର, କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ଦଳ ଇସ୍ତଫା ଦେବା ପରେ ୟୁନାଇଟେଡ୍ ପାର୍ଲାମେଣ୍ଟାରି ଫୋରମ୍ ନେତା ବି ବି ଲିଙ୍ଗ୍ଡ଼ୋ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ପରିଷ୍କାର ହୋଇଯାଇଥିଲା। ଫଳରେ, ସେହି ବର୍ଷ ମାର୍ଚ୍ଚ ୧୦ ତାରିଖ ଦିନ ମାରାକ ନିଜ ପଦରୁ ଇସ୍ତଫା ଦେଇଥିଲେ। ୨୦୦୦ ମସିହାରେ ମାତ୍ର ୮ଦିନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ରହିଥିଲେ ନୀତୀଶ କୁମାର। ସେହିବର୍ଷ ମାର୍ଚ୍ଚ ୩ ତାରିଖ ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଅନାସ୍ଥା ଭୋଟରେ ପରାଜିତ ହେବା ଆଶଙ୍କାରେ ସେ ୧୦ ତାରିଖ ଦିନ ପଦରୁ ଇସ୍ତଫା ଦେଇଥିଲେ।
୨୦୦୭ ମସିହା ନଭେମ୍ବର ୧୨ ତାରିଖ ଦିନ ବି ଏସ୍ ୟେଦୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଜେଡିଏସ୍ ସମର୍ଥନ ନଦେବାରୁ ନଭେମ୍ବର ୧୯ ତାରିଖ ଦିନ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହିଭଳି, ୨୦୧୮ ମସିହା ମେ ୧୭ ତାରିଖ ଦିନ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମାତ୍ର, ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାରେ ବ୍ୟର୍ଥ ହେବା ଆଶଙ୍କାରେ ମଇ ୧୯ ତାରିଖ ଦିନ ସେ ଇସ୍ତଫା ଦେଇଥିଲେ।