୭୧ ତମ ସାଧାରଣତନ୍ତ୍ର ଦିବସକୁ ନେଇ ସବୁଠି ଉତ୍ସବର ପରିବେଶ । ସବୁଠି ଫର ଫର ଉଡିବ ତ୍ରିରଙ୍ଗା

280

କନକ ବ୍ୟୁରୋ : ୭୧ ତମ ସାଧାରଣତନ୍ତ୍ର ଦିବସକୁ ନେଇ ରାଜ୍ୟ ଉତ୍ସବ ମୁଖର । ଆଜି ସବୁଠି ଫର ଫର ଉଡିବ ତ୍ରିରଙ୍ଗା । ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମାଗାନ୍ଧି ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ପରେଡ । ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି ପରେଡ ଗ୍ରାଉଣ୍ଡ । ମୁଖ୍ୟ ଅତିଥୀ ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଏଠାରେ ପତାକା ଉତୋଳନ କରିବେ । ସକାଳ ପ୍ରାୟ ସାଢେ ୮ଟାରେ ଏଠାରେ ପତାକା ଉତୋଳନ କାର୍ଯ୍ୟ କ୍ରମ ରହିଛି । ସୂଚନା ଅନୁସାରେ ଚଳିତ ଥର ମୁଖ୍ୟମନ୍ତ୍ରୀ ଏଠାରେ ସମ୍ମାନୀତ ଅତିଥୀ ଭାବରେ ଯୋଗ ଦେବେ । ପରେଡ ପାଇଁ କଡା ସୁରକ୍ଷା ବଳୟରେ ରହିଛି ପରେଡ ଗ୍ରାଉଣ୍ଡ । ଚଳିତ ଥର ଦିଲ୍ଲୀ ଢାଂଚାରେ ହେଉଛି ରାଜ୍ୟ ସ୍ତରୀୟ ପରେଡ ।

ଦିଲ୍ଲୀ ପରି ଭୁବନେଶ୍ୱରରେ ମଧ୍ୟ ମହିଳା କମାଣ୍ଡର ନେବେ ପରେଡର ନେତୃତ୍ୱ । ଏହି କ୍ରମରେ ଡିସିପି ସାଗରିକା ନାଥ ପରେଡର ନେତୃତ୍ୱ ନେବେ । ଏହା ସହିତ ଏଥର ପରେଡରେ ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ , ଅଗ୍ନିଶମ, ଓଡ୍ରାଫ, ଏନସିସି, ସୈନିକ ସ୍କୁଲ ସମେତ ମୋଟ୍ ୪୮ଟି ଟ୍ରୁପ୍ ପରେଡରେ ସାମିଲ ହେବେ ବୋଲି ଜଣାପଡିଛି । ୧୧ଟି ସରକାରୀ ବିଭାଗର ପ୍ରଜ୍ଞାପନ ମେଢ ଏଥିରେ ସାମିଲ ହେବ । ଏହା ସହିତ ସାଧାରଣତନ୍ତ୍ର ଦିବସ ପରେଡରେ ଡେୟାରଡେଭିଲ ସୋ ମଧ୍ୟ ଅନ୍ୟ ଆକର୍ଷଣ ରହିବ ।