ଆମେରିକାରେ କରୋନା ନେଲାଣି ୭ ଲକ୍ଷ ଜୀବନ । ୩ ମାସରେ ଗଡିଲାଣି ଏକ ଲକ୍ଷରୁ ଅଧିକ ମୁଣ୍ଡ ।

127

କନକ ବ୍ୟୁରୋ : ଭାରତରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଆମେରିକାରେ ମହାମାରୀ ତାଣ୍ଡବ ରଚି ଚାଲିଛି । କରୋନା ଯୋଗୁଁ ସେଠାରେ ଏବେ ଦିନକୁ ପ୍ରାୟ ହଜାରେ ଲୋକଙ୍କ ଜୀବନ ଯାଉଛି । ଆମେରିକାରେ କରୋନାରେ ଏଯାଏଁ ୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବାଇଡେନ୍ ପ୍ରଶାସନ ଦେଶରେ ଜୋରଦାର ଟିକାକରଣ ଚଳାଇଛି । ଏବେ ସୁଦ୍ଧା ମୋଟ ଜନସଂଖ୍ୟାର ୫୫ ପ୍ରତିଶତରୁ ଅଧିକ ଟିକାକରଣ ହୋଇ ସାରିଛି । ହେଲେ ଯେଉଁ ମାତ୍ରାରେ କରୋନାର ପ୍ରକୋପ କମିବା କଥା ତାହା ପରିଲଖିତ ହେଉନାହିଁ ।

ଆମେରିକାରେ କରୋନାର ଜାରି ରହିଛି ତାଣ୍ଡବ । ଦେଶରେ ଗଲାଣି ୭ ଲକ୍ଷରୁ ଅଧିକ ଜୀବନ । ସବୁଠୁ ଭଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସବୁଠୁ ଭଲ ଚିକିତ୍ସା ସୁବିଧା ସତ୍ୱେ କରୋନା ମହାମାରୀରେ ସବୁଠୁ ଅଧିକ କ୍ଷତିଗ୍ରସ୍ଥ ହୋଇଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାରେ କରୋନା ଏଯାଏଁ ୭ ଲକ୍ଷରୁ ଅଧିକ ମୁଣ୍ଡ ନେଇସାରିଲାଣି ।

ଏ ସମୟକୁ ମଧ୍ୟ ଆମେ ଅତିକ୍ରମ କରିବୁ । କରୋନାରେ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ଏବେ ଆମେରିକାରେ ଏପରି କିଛି ବାକ୍ୟର ବୋର୍ଡ ଦେଖିବାକୁ ମିଳିଛି । ଆମେରିକାରେ କରୋନାର ତାଣ୍ଡବ ଏବେବି ଜାରି ରହିଛି । ସେଠାରେ ଦିନକୁ ହାରାହାରି ଏକ ହଜାର ଲୋକ କରୋନାରେ ଆଖି ବୁଜୁଛନ୍ତି । କରୋନାରେ ଦୈନିକ ମୃତ୍ୟୁ ହାରରେ ବ୍ରାଜିଲକୁ ପଛରେ ପକାଇ ଆମେରିକା ଏବେ ବିଶ୍ୱରେ ଏକ ନମ୍ବର ରହିଛି ।

ଆମେରିକାରେ ଟିକାକରଣ ଜୋରଦାର ଜାରି ରହିଥିବା ବେଳେ କରୋନା ପ୍ରକୋପ ଯେତେମାତ୍ରାରେ କମିବ ବୋଲି ଆଶା କରାଯାଉଥିଲା, ସେପରି ଘଟି ନାହିଁ । ଦେଶରେ ମୋଟ ଜନସଂଖ୍ୟାର ୫୫ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇ ସାରିଛି ।

ଆମେରିକାରେ ତିନି ମାସରୁ କିଛି ଅଧିକ ସମୟ ମଧ୍ୟରେ ଏହି ୧ ଲକ୍ଷ ମୃତ୍ୟୁ ଘଟିଛି । ଏଥିରୁ ୪୦ ପ୍ରତିଶତଙ୍କ ବୟସ ୬୫ ବର୍ଷରୁ କମ୍ । ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ବା ସିଡିସିର ତଥ୍ୟ ଅନୁଯାୟୀ ଜୁନରୁ ଏପର୍ଯ୍ୟନ୍ତ ହୋଇଥିବା ଏକ ଲକ୍ଷ ମୃତ୍ୟ ମଧ୍ୟରୁ ୨୯ ଶହ ଜଣ ଟିକା ନେଇଥିଲେ । ଗତବର୍ଷ ଆମେରିକାରେ ଯେତେବେଳେ କରୋନା ସଂକ୍ରମଣ ଶୀର୍ଷରେ ଥିଲା, ସେତେବେଳେ ମାତ୍ର ୩୪ ଦିନ ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷରୁ ୫ ଲକ୍ଷରେ ପହଞ୍ଚିଥିଲା । ଗତ ସେପ୍ଟେମ୍ବରରେ ଆମେରିକାରେ ଦିନକୁ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିଲା ।

ଆମେରିକାରେ ଡେଲଟା ଭାରିଏଂଟ ଯୋଗୁଁ ଅଧିକ ସଂକ୍ରମଣ ହୋଇଛି, ଆଉ ଟିକା ଏହା ବିରୋଧରେ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଛି । ସେପେମ୍ବରରେ ସିଡିସି ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତି ଯଦି ପୂର୍ବରୁ ଟିକା ନେଇଥାଏ, ତାହେଲେ କରୋନାରେ ମୃତ୍ୟୁର ଆଶଙ୍କା ୧୦ ଗୁଣ କମିଯାଇଥାଏ । ଆମେରିକାର ୧୦ଟି ରାଜ୍ୟରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ଏସବୁ ଭିତରେ ଆମେରିକାରେ ବୁଷ୍ଟର ଡୋଜ୍ ଦିଆଯାଉଛି । ପୂର୍ବରୁ ଫାଇଜର ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଆଉ ଗୋଟିଏ ଡୋଜ୍ ଦିଆଯାଉଛି । ଏହାସହ ପିଲାମାନଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ।