କନକ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଏଭଳି ସମ୍ୱେଦନଶୀଳ ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି କୋଲକତା ହାଇକୋର୍ଟ । ନିର୍ଭୟରେ କାର୍ଯ୍ୟ କରିବାର ପରିବେଶ ସୃଷ୍ଟି କରିବା ପାଇଁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି କୋର୍ଟ । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଉପରେ ପ୍ରବଳ ବର୍ଷିଛନ୍ତି କଲିକତା ହାଇକୋର୍ଟ । ରାଜ୍ୟ ପ୍ରଶାସନର ଏହା ସମ୍ପୂର୍ଣ୍ଣ ରୂପେ ବିଫଳତା ବୋଲି ହାଇକୋର୍ଟ କହିଛନ୍ତି । ଏଥିସହ ଏପରି ହେଲେ ମହିଳାମାନେ କିପରି ସୁରକ୍ଷିତ ଭାବେ କାର୍ଯ୍ୟ କରିପାରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ୱାଧୀନତା ଦିବସ ପୂର୍ବ ଦିନ ରାତିରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଆନ୍ଦୋଳନ କରିଥିଲେ । ଏହି ସମୟରେ ପ୍ରାୟ ୭ ହଜାରରୁ ଅଧିକ ଆନ୍ଦୋଳନକାରୀ ମେଡିକାଲ କଲେଜକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ଘଟଣା ପରେ ପୁଲିସ ଏକାଧିକ ଭିଡିଓ ଜାରି କରି ୧୯ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ଆଜି କଲିକତା ହାଇକୋର୍ଟ ଏ ଉପରେ ଶୁଣାଣି କରି ଏପରି ଘଟଣା, ରାଜ୍ୟ ସରକାରଙ୍କ ବିଫଳତା ବୋଲି କହିଛନ୍ତି । ଘଟଣାକୁ ଦୁଃଖଦପୂର୍ଣ୍ଣ ଦର୍ଶାଇ ହାଇକୋର୍ଟ ମୁଖ୍ୟ ବିଚାରପତି କହିଛନ୍ତି, ପୁଲିସ କିଛି ବି ଘଟଣାରେ ସିଆରପିସିର ଧାରା ୧୪୪ ଲାଗୁ କରୁଛି । ଯେତେବେଳେ ୭ହଜାର ଲୋକେ ଆନ୍ଦୋଳନକୁ ଆସୁଥିଲେ, ସେତେବେଳେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିବାର ଅବଶ୍ୟକ ଥିଲା । ତାହା କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ଆତ୍ମବିଶ୍ୱାସ ଉପରେ ଘୋର ପ୍ରଭାବ ପକାଇଛି। ସୁରକ୍ଷିତ ପରିବେଶ ତିଆରି କରିବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟକର୍ମୀ ନିର୍ଭୟରେ କିଭଳି କର୍ତ୍ତବ୍ୟ ସମ୍ପାଦନ କରିପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ସରକାର। ଏହାସହ ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି କଲିକତା ହାଇକୋର୍ଟ ।