ବଞ୍ଚିବା ପାଇଁ ବୁଢା ବରଗଛ ନେଉଛି ସାଲାଇନ ! ୭୦୦ ବର୍ଷ ପୁରୁଣା ବିଶ୍ୱର ଦ୍ୱିତୀୟ ବୃହତ ବରଗଛକୁ ବଞ୍ଚାଇବା ପାଇଁ ଚାଲିଛି ଚେଷ୍ଟା, ଜାଣନ୍ତୁ କେଉଁଠି

132

ବଞ୍ଚିବା ପାଇଁ ବରଗଛ ନେଉଛି ସାଲାଇନ । ଏଭଳି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯେଉଁଠି ମଣିଷ ଗଛ କାଟି କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଛନ୍ତି । ସେହିଭଳି ସମୟରେ ତେଲଙ୍ଗାନାର ବନ ବିଭାଗ ଗୋଟିଏ ପୁରଣା ବୁଢା ବରଗଛକୁ ବଞ୍ଚାଇ ରଖିବା ପାଇଁ ସାଲାଇନ ଦେଉଛି । ତେଲଙ୍ଗାନାର ମହାବୁବନଗର ଅଞ୍ଚଳରେ ଥିବା ୭୦୦ ବର୍ଷ ପୁରୁଣା ବିଶ୍ୱର ଦ୍ୱିତୀୟ ବୃହତ ବରଗଛକୁ ବଞ୍ଚାଇବା ପାଇଁ ଏବେ ଜିଲ୍ଲା ପ୍ରଶାସନ ଦିନ ରାତି ଏକ କରି ଦେଇଛି । ଆଉ ଖାସ ଏଥିପାଇଁ ଏବେ ରୋଗୀଙ୍କ ଭଳି ବରଗଛକୁ ମଧ୍ୟ ସାଲାଇନ ଦେଇ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ।

ଦୀର୍ଘ ୩ ଏକର ପରିମିତି ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ଏହି ବୁଢା ବରଗଛକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକେ ଦେଖିବାକୁ ଆସିଥାନ୍ତି । ଡିସେମ୍ବର ୨୦୧୭ ଯାଏଁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭିତରେ ଗଣା ଯାଉଥିଲା । କିନ୍ତୁ ଗଛଟି ଧୀରେ ଧୀରେ ନଷ୍ଟ ହେବା ଦେଖି ଏହାର ରକ୍ଷାଣବେକ୍ଷଣ ପାଇଁ ଏବେ ସର୍ବସାଧାରଣଙ୍କୁ ଉକ୍ତ ସ୍ଥାନକୁ ଛଡା ଯାଉନାହିଁ । ତେବେ ଏତେ ବର୍ଷର ପୁରଣା ଗଛ କିପରି ନଷ୍ଟ ହେଲା । ସେ ସମ୍ପର୍କରେ ମହାବୁବନଗର ଜିଲ୍ଲାର ବନ ଅଧିକାରୀ କହିଛନ୍ତି, ଗଛର ଡାଳ, ଓହଳ ଓ ଅନ୍ୟ ସ୍ଥାନକୁ ଉଇ ଚରି ଯାଇଛନ୍ତି । ଏହାଦ୍ୱାରା ଗଛର ଛାଲ ବା ଖୋଳପା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯାହା ଗଛ ନଷ୍ଟ ହେବାର ଏକ ପ୍ରମୁଖ କାରଣ । ତେବେ ଗଛ ନଷ୍ଟ ହେବା ଦେଖି ଜିଲ୍ଲା ପ୍ରଶାସନ ଏହାକୁ ରକ୍ଷା କରିବାକୁ ଅଣ୍ଟା ଭିଡିଛନ୍ତି । ଏପରିକି ଖୋଦ ଜିଲ୍ଲାପାଳ ଗଛର ସୁରକ୍ଷାର ତଦାରଖ କରୁଛନ୍ତି ।

ଗଛରୁ ଉଇ ଦମନ ପାଇଁ ବନ ବିଭାଗ ପକ୍ଷରୁ ପ୍ରଥମେ ଏହାର ଚାରିପାଶ୍ୱର୍ ଖୋଳି ପାଣିରେ କ୍ଲୋରୋପାଇରିଫସ୍ କୀଟନାଶକ ମିଶାଇ ଢଳାଯାଇଥିଲା । ଏପରିକି ଯେଉଁ ସବୁ ଡାଳ ବା ଓହଳରେ ଉଇ ଲାଗିଥିଲା ସେଠାରେ କୀଟନାଶକ ସିଞ୍ଚନ କରାଯାଇଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ଏହାପରେ ଅନ୍ୟ ଉପାୟରେ ଗଛରୁ ଉଇ ଛଙ୍ଗାଇବାକୁ ଚିନ୍ତା କଲେ ବନ ବିଭାଗ ଅଧିକାରୀ । ହସ୍ପିଟାଲରେ ରୋଗୀଙ୍କୁ ଭଲ କରିବା ପାଇଁ ଯେଉଁଭଳି ଭାବେ ସାଲାଇନରେ ଔଷଧ ମିଶାଇ ଦିଆଯାଏ ଠିକ୍ ସେହି ଉପାୟ ଆପଣାଇଥିଲେ ବନ ବିଭାଗ ଅଧିକାରୀ ।

ସାଲାଇନ ଭଳି ବଡ ବୋତଲରେ ଉଇ ମାରିବା ପାଇଁ କୀଟନାଶକ ଔଷଧ ମିଶାଇ ଏହାକୁ ଗଛ ମଧ୍ୟକୁ ଇଞ୍ଜେକସନ ମାଧ୍ୟମରେ ପୁରାଗଲା । ଗଛର ସମସ୍ତ ଡାଳ, ଓହଳରେ ଦୁଇ ମିଟର ବ୍ୟବଧାନରେ ସାଲାଇନ ଲଗାଇଛି ବନ ବିଭାଗ । ପୂରା ଗଛକୁ ଉଇ ମୁକ୍ତ କରିବା ପାଇଁ ଶହ ଶହ ସାଲାଇନ ବୋତଲ ଲାଗିଛି ବରଗଛରେ । କେବଳ ସାଲାଇନ ଦ୍ୱାରା ନୁହେଁ ଅନ୍ୟ ଉପାୟରେ ମଧ୍ୟ ଗଛକୁ ସୁରକ୍ଷିତ କରାଯାଉଛି । ୭୦୦ ବର୍ଷ ତଳର ପୁରୁଣା ଗଛକୁ ସପୋର୍ଟ ଦେବା ପାଇଁ କଂକ୍ରିଟ ସ୍ତମ୍ଭ ନିର୍ମାଣ କରାଯାଇଛି । ଏହାଦ୍ୱାରା ଗଛର ଡାଳ ଆଉ ଭାଙ୍ଗିବ ନାହିଁ । ତେବେ ଏହି ଗଛରୁ ଉଇ ବଂଶ ଲୋପ କରିବାକୁ ଆହୁରି ୨ରୁ ୩ ମାସ ସମୟ ଲାଗିବ । ଆଉ ଏହାପରେ ପୁଣିଥରେ ପର୍ଯ୍ୟଟକ ଏଠାକୁ ଆସି ପାରିବେ ।