କନକ ବ୍ୟୁରୋ : ସାଧାରଣ ଲୋକଙ୍କ ଉପରେ ବୋଝ ପାଲଟିଛି ଚାଉଳ ଦର ବୃଦ୍ଧି । କ୍ୱିଣ୍ଟାଲ ପିଛା ଚାଉଳ ଦର ୭୦୦ ଟଙ୍କା ବୃଦ୍ଧି ପାଇଛି । ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ହେଉଛି ଓଡ଼ିଶା । କିନ୍ତୁ ଦରରେ ମାଡ଼ ଖାଉଛନ୍ତି ମଧ୍ୟବିତ । ଦୁଇ ମାସରୁ ଅଧିକ ସମୟ ହେଲା କମନ୍ ଗ୍ରେଡ ଚାଉଳ କ୍ୱିଣ୍ଟାଲ ପିଛା ୩ହଜାର ୩୦୦ ଟଙ୍କାରେ ବିକ୍ରି ହେଉଛି । ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଦର ଏକାଥରକେ ୭୦୦ ଟଙ୍କା ବଢ଼ିବା ଏକ ଶକ୍ତ ଧକ୍କା ହୋଇଛି ।

Advertisment

କୃଷି ବିଭାଗର ସୂଚନା ଅନୁସାରେ ୨୦୦୦ ମସିହାରେ ଓଡ଼ିଶାରେ ବାର୍ଷିକ ୪୬ ଦଶମିକ ୧୪ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଥିଲା । ୨୦୨୨ରେ ଏହା ଅଢ଼େଇ ଗୁଣ ବୃଦ୍ଧି ପାଇ ୧୧୫ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ପୂର୍ବରୁ ହେକ୍ଟର ପ୍ରତି ୧୦ଦଶମିକ ୪୧ କ୍ୱିଣ୍ଟାଲ ଚାଉଳ ଉତ୍ପାଦନ ହେଉଥିଲା । କିନ୍ତୁ ବର୍ତମାନ ଏହାର ୨୯ଦଶମିକ ୦୯ କ୍ୱିଣ୍ଟାଲରେ ପହଞ୍ଚଛି । ସ୍ଥିତି ଏଭଳି ଯେ ଓଡ଼ିଶା ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁକୁ ଚାଉଳ ପଠାଉଛି । କିନ୍ତୁ ରାଜ୍ୟରେ ଚାଉଳ ଦର ଏକାଥରକେ ୭୦୦ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଏହା ନିୟନ୍ତ୍ରଣ ହେବାର ନାଁ ଧରୁନି ।

ଆହୁରି କିଛି ସାଧାରଣ ପ୍ରକାରର ଚାଉଳ ମଧ୍ୟ ୫ହଜାରରୁ ୭ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏଫସିଆଇର ସୂଚନା ଅନୁସାରେ ଦର ନିୟନ୍ତ୍ରଣ କରିବା ପାଇଁ ଏଫସିଆଇ ପକ୍ଷରୁ ଖୋଲା ବଜାରରେ ବଳକା ଧାନ ଏବଂ ଗହମ ବିକ୍ରି ହେବ । ୧୭ଟି କେନ୍ଦ୍ରରେ ଅତିରିକ୍ତ ୨୧ ହଜାର ୨୦୦ ମେଟ୍ରିକ ଟନ୍ର ଗହମ ଏବଂ ୧୦ହଜାର ମେଟ୍ରିକ ଟନର ଧାନ ଇ-ନିଲାମ ମାଧ୍ୟମରେ ବିକ୍ରି ହେବ । ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତି ସପ୍ତାହରେ ଛୋଟ ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି ହେବ ।