ହୃଦୟ ବିଦାରକ । ଜୀବନ ସଂଗ୍ରାମରେ ହାରିଯାଇ ଆଖି ବୁଜିଲେ ବୋହୂ, ଶ୍ମଶାନରେ ଶବରେ ମୁଖାଗ୍ନି ଦେଲେ ଶାଶୂ

Advertisment
ସମ୍ବଲପୁର ଗୋଲବଜାରରେ ଅଗ୍ନିକାଣ୍ଡ ! ଜଳିପୋଡି ଛାରଖାର ହୋଇଗଲା ୧୦୦ ଦୋକାନ

କନକ ବ୍ୟୁରୋ : ଶେଷରେ ବୋହୂର ଶବକୁ ମୁଖାଗ୍ନି ଦେଲେ ୭୦ବର୍ଷର ବୃଦ୍ଧା ଶାଶୂ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ବଡ ଡାକ୍ତରଖାନାରେ। ଗାଁକୁ ଶବ ନେବା ପାଇଁ ପାଖରେ ଟଙ୍କା ନାହିଁ କି ପାଖରେ ବି କେହି ନାହାନ୍ତି। ଏକମାତ୍ର ଭେଣ୍ଡା ପୁଅ ମାନସିକ ବିକାରଗ୍ରସ୍ତ ଥିବାରୁ ଶେଷରେ ବୃଦ୍ଧା ମା ହିଁ ବୋହୂର ଶବକୁ ମୁଖାଗ୍ନି ଦେଲା। ସ୍ବେଚ୍ଛାସେବୀଙ୍କ ସହାୟତାରେ କଟକ ଖାନ୍‌ନଗର ସ୍ବର୍ଗଧାମରେ କରାଗଲା ଶବଶତ୍କାର।

ସୂଚନା ଅନୁସାରେ, ବ୍ରହ୍ମପୁର ଜିଲ୍ଲାର କୋଦଳା ଅଞ୍ଚଳର ବୁରଝରି ଗାଁର କସ୍ତୁରୀ ବେ‌ହେରା(୭୦)। ପରିବାର କହିଲେ ସ୍ବାମୀ ଅନେକ ଦିନରୁ ଆରପାରିକୁ ଚାଲିଯାଇଛନ୍ତି। ଫଳରେ ଏକମାତ୍ର ମାନସିକ ସ୍ଥିତି ଠିକ୍‌ ନଥିବା ପୁଅ ନାରାୟଣ ହିଁ ତାଙ୍କ ଭରସା। ବର୍ଷକ ତଳେ ହାତକୁ ଦି’ହାତ ହେଲା ପୁଅ। ନାରାୟଣ ସହ ମାମିଙ୍କ ବିବାହ ହୋଇଥିଲା। ହେଲେ ବିବାହପରଠାରୁ ସବୁବେଳେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହୁଥିଲା କଳହ। ଶେଷରେ ପାରିବାରିକ କଳହ ଏମିତି ରୂପ ନେଇଥିଲା ଯେ, ମାମି କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ, ତାପରେ ବ୍ରହ୍ମପୁର ଓ ଶେଷରେ ଏସ୍‌ସିବି ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା ମାମିଙ୍କୁ। ହେଲେ ସାଙ୍ଗରେ କିନ୍ତୁ ଗୁରୁତର ବୋହୂକୁ ଧରି ‌ଏସ୍‌ସିବିରେ ଚିକିତ୍ସା ପାଇଁ ଆଣିଥାନ୍ତି ୭୦ବର୍ଷର ବୃଦ୍ଧା ଶାଶୂ କସ୍ତୁରୀ। ‌ଦୀର୍ଘ ୧ମାସରୁ ଅଧିକ ହେଲା ଏସ୍‌ସିବିରେ ଚିକିତ୍ସା ପରେ  ଆଖିବୁଜିଲେ ମାମି।

କିନ୍ତୁ ଗାଁକୁ ଶବ ନେବା ପାଇଁ ନାଁ କେହି ପରିଜନ ଥିଲେ ନା ଥିଲା ଟଙ୍କା। ଶେଷରେ ଏଭଳି ଦୁଃଖଦ ଘଟଣା ଜଣାପଡିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ଗୃହରେ ଶବକୁ ରଖିବା ସହ ବୃଦ୍ଧା ଶାଶୂଙ୍କୁ ସହାୟତାର ହାତ ବଢାଇଥିଲା। ପୁଲିସ ପାଖରୁ ଖବର ପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ପହଞ୍ଚିଥିଲେ। ଯେହେତୁ ବିବାହର ମାତ୍ର ବର୍ଷେ ହୋଇଛି ତେଣୁ ପୁଲିସ ମାଜି‌‌ଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ପଂଚନାମା କରିବା ପରେ ସ୍ବେଚ୍ଛାସେବୀ ଶ୍ରୀ ଦାସ, ମଙ୍ଗଳାବାଗ୍‌ ପୁଲିସ ସହାୟତାରେ ମାମିଙ୍କ ଶବକୁ ଶ୍ମଶାନରେ ଦାହ କରାଯାଇଥିଲା। ଯେହେତୁ ପୁଅ ମାନସିକ ବିକୃତ ତେଣୁ ପାଖାରେ ଥିବା ବୃଦ୍ଧା ଶାଶୂ ଦେଇଥିଲେ ମୁଖାଗ୍ନି। ଏହାପରେ ବୃଦ୍ଧା ଶାଶୂଙ୍କୁ ବସ୍‌ରେ ତାଙ୍କ ଗାଁକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe