ଦୁର୍ଘଟଣା ପରେ ପୁଅ ଘରେ ବସିଛି, ପରିବାର ଚଳାଇବା ପାଇଁ ୭୦ ବର୍ଷର ମାଆ ଦାଦନ ଖଟୁଛି । ଏ ସତ କାହାଣୀ ଆପଣଙ୍କୁ ବି କନ୍ଦାଇ ଦେବ ।

165

କନକ ବ୍ୟୁରୋ : ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ରୋଜଗାର ବୟସରେ ଏକ ଦୁର୍ଘଟଣା ଭାଙ୍ଗିଦେଲା ରୋଜଗାରିଆ ପୁଅର ସ୍ୱପ୍ନ । ଆଖି ଆଗରେ ତାସ ପତା ଭଳି ଭୁଷୁଡି ପଡିଲା ସବୁ ଆଶା ଓ ସ୍ୱପ୍ନ । ଦୁର୍ଘଟଣାର ଶିକାର ହୋଇ ପୁଅର ହାତ ଗୋଡ ଅଚଳ ହୋଇଯିବା ପରେ ପରିବାର ଚଳାଇବା ପାଇଁ ହାଇଦ୍ରାବାଦରେ ଦାଦନ ଖଟୁଛନ୍ତି ୭୦ ବର୍ଷିୟା ମାଆ । ଆଉ ଘର କହିଲେ ନଇଁ ପଡିଥିବା ଖଣ୍ଡେ ଭଙ୍ଗା କୁଡିଆ । ଯେଉଁଥିରେ ପରିବାର ସହ ଜୀବନ କାଟୁଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ବଡବାରିସାହିର ବିନୋଦ । କିନ୍ତୁ ଏହି ଜୀବନ ବଞ୍ଚିବାକୁ ବିନୋଦ ଓ ତାଙ୍କ ପରିବାରକୁ କେତେ ଯେ ସଂଘର୍ଷ କରିବାକୁ ପଡୁଛି ତାହା ଜାଣିଲେ ଆପଣଙ୍କ ଆଖି ମଧ୍ୟ ଓଦା ହୋଇଯିବ ।

ବିନୋଦ ବିଶ୍ୱାଳ କେବୁଲ ସଂସ୍ଥାରେ କାମ କରି ପରିବାର ଚଳାଉଥିଲେ । ହେଲେ ଦେଢ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ବଦଳି ଯାଇଛି ତାଙ୍କ ଜୀବନର ଗତିପଥ । ମେରୁଦଣ୍ଡରେ ଆଘାତ ଯୋଗୁଁ ଗୋଡ ଓ ହାତ ଅଚଳ ହୋଇଯାଇଛି । ଆଶାବାଡି ତାଙ୍କ ଜୀବନର ସାହାରା ପାଲଟିଛି । ଭଙ୍ଗା କୁଡିଆରେ ଚାରିପ୍ରାଣୀ କୁଟୁମ୍ବଙ୍କ ସହ ଅତି ଦୟନୀୟଭାବେ ଜୀବନ ବିତୁଛି । ପୁଅର ପରିବାର ଭୋକ ଉପାସରେ ରହୁଥିବାରୁ ପରିଣତ ବୟସରେ ଦାଦନ ଖଟୁଛନ୍ତି ୭୦ ବର୍ଷିୟା ବୁଢି ମାଆ । ହାଇଦ୍ରାବଦର ଏକ ତୁଳା କମ୍ପାନୀରେ ଦାଦନ ଖଟି ଘରକୁ ପଇସା ପଠାଉଛନ୍ତି ବିନୋଦଙ୍କ ମାଆ । ଆଉ ଏହି ଟଙ୍କାରେ ଚଳୁଛି ବିନୋଦଙ୍କ ପରିବାର ।

ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବିନୋଦଙ୍କ ଭାଗ୍ୟରେ ଏଯାଏଁ ସରକାରୀ ପକ୍କା ଘରଟିଏ ଜୁଟିନି । ପୁରା ପରିବାର ଝାଟିମାଟିର ଘରେ ରହୁଛନ୍ତି । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଘର ଉପରେ ପାଲ ଘୋଡାଇଛନ୍ତି । ବିନୋଦଙ୍କ ଏପରି ଦୟନୀୟ ଅବସ୍ଥା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସବୁ ଜାଣିଥିଲେ ମଧ୍ୟ ଏଯାଏଁ ଟଙ୍କାଟିଏ ସହାୟତା କି ପକ୍କାଘରଟିଏ ପାଇଁ ବ୍ୟବସ୍ଥା କରିନାହାନ୍ତି । ତେଣୁ ଏଠି ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଗରିବଙ୍କ ପାଇଁ ସରକାର କରୁଥିବା ଏତେସବୁ ଯୋଜନା କାହା ପାଇଁ? ଯଦି ଜଣେ ଆଶାବାଡି ସାହାଯ୍ୟରେ ଜୀବନ ବଞ୍ଚୁଥିବା ମଣିଷକୁ ସରକାରୀ ସହାୟତା ମିଳିବନି ତେବେ କାହା ପାଇଁ ସରକାରଙ୍କ ଏହି ଯୋଜନା?