କାଳିଆରେ ସବୁ ତ ତୋରି ସମ୍ପତ୍ତି… ଜମି ବିକି ଜଗନ୍ନାଥଙ୍କୁ ୨୦ ଲକ୍ଷ ଦାନ କଲେ ୭୦ ବର୍ଷୀୟ ମହିଳା ।

531

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିକୁ ଚଞ୍ଚକତା କରି ହଡପ କରିବା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । ଶ୍ରୀଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଅନେକ ସମୟରେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ସମୟରେ ଜଣେ ୭୦ ବର୍ଷୀୟ ମହିଳା ଜମି ବିକ୍ରି କରି ଜଗନ୍ନାଥଙ୍କୁ ଦାନ କରିଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳ ସଦାନନ୍ଦପୁରର ୭୦ ବର୍ଷୀୟ ମହିଳା ସୁପ୍ରଭା ପଣ୍ଡା ନିଜ ଜମି ବିକ୍ରି କରି ମହାପ୍ରଭୁଙ୍କ ୨୦ ଲକ୍ଷ ଟଙ୍କା ଦାନ କରିବା ଭଳି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍ୱାମୀଙ୍କ ଇଚ୍ଛା ପୂରଣ କରିବାକୁ ସେ କଟକରେ ଥିବା ଏକ ଜମିକୁ ବିକ୍ରି କରି ମହାପ୍ରଭୁଙ୍କୁ ଦାନ କରିଛନ୍ତି । ପୂର୍ବରୁ ଗାଁ ସ୍କୁଲକୁ ମଧ୍ୟ ସେ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ସ୍ୱାମୀ ପଙ୍କଜକାନ୍ତ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । କମର୍ସିଆଲ ସେଲ ଟ୍ୟାକ୍ସ ଅଫିସର ଭାବେ କାମ କରୁଥିବା ବେଳେ ୨୦୨୧ରେ ଚାରିକିରୁ ଅବସର ନେଇଥିଲେ । ତାଙ୍କର କେହି ପିଲାପିଲି ନଥିବାରୁ ମହାପ୍ରଭୁଙ୍କୁ ଦାନ କରିବାକୁ ଇଚ୍ଛା କରିଥିଲେ । ହେଲେ କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କର ଏହି ଇଚ୍ଛାଟିକୁ ପୂରଣ କରିବା ପାଇଁ ପତ୍ନୀଙ୍କୁ ବାରମ୍ବାର କହୁଥିଲେ ।
ଭୁବନେଶ୍ୱରକୁ କେମୋ ନେବାକୁ ଆସିଥିବାବେଳେ ଶେଷଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । କିନ୍ତୁ ଦାନ କରିବାର ଇଚ୍ଛା ପୂରଣ ହୋଇପାରିନଥିଲା । କୋଭିଡ କଟକଣା କାରଣରୁ ଏହି ଇଚ୍ଛା ପୂରଣ କରିବାରେ ବିଳମ୍ବ ହୋଇଛି । କିନ୍ତୁ ଶେଷରେ ଦାନ କରି ଖୁବ ଆତ୍ମସନ୍ତୋଷ ଲାଭ କରିଛନ୍ତି ଶ୍ରୀମତୀ ପଣ୍ଡା ।